Unknown

 

 

 

 

 

 

 

 

 

କୃଷ୍ଣସିଂହ ମହାଭାରତ ନୀତି ସଂଗ୍ରହ

ଶ୍ରୀ ଭାଗୀରଥି ସାହୁ

 

ନିବେଦନ

 

ଇଙ୍ଗ୍ରାଜିରେ ‘One Thousand and One Sayings,’ ଶ୍ରୀ ରାମକୃଷ୍ଣ ସଂପ୍ରଦାୟର ଏବଂ ସ୍ୱାମୀ ଶ୍ରୀ ରାମତୀର୍ଥଙ୍କର ଗ୍ରନ୍ଥମାନ ପଢ଼ି, ସେଥିରେ ଯେଉଁସବୁ ନୀତିବଚନଗୁଡ଼ିକ ଦେଖିଥିଲି ରାଜା ଶ୍ରୀ କୃଷ୍ଣସିଂହଙ୍କ ମହାଭାରତ ପାଠ କଲାବେଳେ ସେଇ ନୀତିବଚନଗୁଡ଼ିକ ଦେଖିବାକୁ ପାଇ, ମୋ ନିଜର ଅବସର ସମୟରେ ପାଠ କରିବା ନିମିତ୍ତ ସେଥିରୁ କେତେକ ଏକତ୍ର କରିଥିଲି ।

 

ଏ ମଧ୍ୟରେ ମୋର କେତେକ ବନ୍ଧୁ ଏବଂ ବିଶେଷତଃ ବୋଇରାଣୀ ମଧ୍ୟ ଇଙ୍ଗ୍ରାଜି ସ୍କୁଲର ଶିକ୍ଷକଗଣ ଓ ପଣ୍ଡିତ ମହାଶୟ ଏହି ନୀତିବଚନଗୁଡ଼ିକ ଦେଖି ତାହା ବହି ଆକାରରେ ସାଧାରଣଙ୍କ ଆଗେ ଉପସ୍ଥାପିତ କରିବାପାଇଁ ମୋତେ ଉତ୍ସାହିତ କଲେ । ମୋର ନିଜସ୍ୱ ଏଥିରେ କିଛି ନାହିଁ ।

 

ତେଣୁ ପାଠକବର୍ଗଙ୍କୁ ଅନୁରୋଧ କରେ ଏଥିରେ ଯଦି କୌଣସି ପ୍ରକାର ତ୍ରୁଟିଥାଏ ତେବେ ତାହା ମାର୍ଜନା କରିବେ । ମହାଭାରତ ନୀତିବାକ୍ୟ ଏବଂ ସଦୁପଦେଶରେ ପରିପୂର୍ଣ୍ଣ । ମୁଁ ସେଥିରୁ କେତେକ ମାତ୍ର ସଂଗ୍ରହ କରିଅଛି । ଯଦି ଏହାର ଉପାଦେୟତା ସାଧାରଣଙ୍କ ମଧ୍ୟରେ ଅନୂଭୂତ ହୁଏ ତେବେ ଅନ୍ୟାନ୍ୟ ଅଂଶ ସଂଗ୍ରହ କରି ଯଥାଶୀଘ୍ର ଏହାର ଦ୍ୱିତୀୟ ସଂସ୍କରଣ ପ୍ରକାଶ କରିବାର ବାସନା ରହିଲା ।

 

ଭଗବତ୍‌ ଗୀତାର ଯେଉଁ ଯେଉଁ ଅଂଶ ଏଥିରେ ସ୍ଥାନ ପାଇଛି, ସେଠାରେ ‘ମୁଁ’ଠାରେ ଶ୍ରୀକୃଷ୍ଣ ଏବଂ ଅନ୍ୟତ୍ର ‘ମୁଁ’ ‘ତୁମ୍ଭେ’ ଅର୍ଥରେ ଯଥାକ୍ରମେ ବକ୍ତା ଏବଂ ଶ୍ରୋତାବୋଲି ଗ୍ରହଣ କରିବାକୁ ହେବ ।

 

ବୋଇରାଣି (ଗଞ୍ଜାମ)

ବିନୀତ

୧୪-୧-୧୯୩୪

ଶ୍ରୀ ଭାଗୀରଥି ସାହୁ

 

ଓଁ ନମୋ ନାରାୟଣାୟ

ହିଂସା ନ କରିବ ପ୍ରାଣୀମାନଙ୍କରେ

ଏ ପରମ ଧର୍ମ ଅଟଇ ସଂସାରରେ

।।

ଧର୍ମକୁ ଯେଉଁ ଲୋକ କରଇଟି ନାଶ

କହୁଥାଇ ଆଗଟି ସେ ହୁଏ ବିନାଶ

।।

ଜନ୍ମ ଦାତା, ଅନ୍ନ ଦାତା, ପ୍ରାଣ ଦାତା

ଏହି ମାନେ ଜାଣ ପ୍ରାଣୀଙ୍କର ପିତା

।।

ଯେଉଁ ଲୋକ ସତ କଥାକୁ ମିଛ କରେ

କେଉଁ ପାପ କଥା ନୁହଇ ତାହାରେ

।।

ହୃଦୟରେ ଯେଉଁ ପୁରୁଷ ରହିଛି

ତୁମ୍ଭ ଆମ୍ଭ କଥାକୁ ସାକ୍ଷୀ ସେ ହୋଇଛି

।।

ଯେବେ ଲୋକ ଲୁଚାଇ ପାପକୁ କରଇ

ତାହାକି ନାରାୟଣ ପୁରୁଷ ନ ଜାଣଇ ?

।।

ସୂର୍ଯ୍ୟ, ଯମ, ଧର୍ମ, ଧରିତ୍ରୀ, ଅନିଳ

ଦିବସ, ରାତ୍ର, ଜଳ, ଆକାଶ, ଅନଳ

।।

ଦୁଇ ସନ୍ଧ୍ୟା, ହୃଦୟ, ନକ୍ଷତ୍ରଗଣ-ପତି

ଏ ଚଉଦେ ନର ବୃତ୍ତିକୁ ଜାଣନ୍ତି

।।

ହୃଦ ସ୍ଥିତ ପୁରୁଷ ଯାହାକୁ ହୁଏ ତୋଷ

ଯମ ଦଣ୍ଡ ତାର ନୁହଇ ଅବଶ୍ୟ

।।

କରିବା କଥା ନାହିଁ ବୋଲଇ ଯେଉଁ ନର

ନ କରନ୍ତି ଦେବେ ଶ୍ରେୟ ଯେ ତାହାର

।।

ଦୁଷ୍ଟ ଜନେ ନିନ୍ଦା କରନ୍ତି ପରକୁ

ନ ଜାଣନ୍ତି ସାଧୁ ଅସାଧୁ ବଚନକୁ

।।

ମୂର୍ଖ ଜନେ ଭଲ ଅସାର ଶୁଣନ୍ତି

ଭଲ ଛାଁଡ଼ି ଦେଇ ଅସାର ଘେନନ୍ତି

।।

ପ୍ରଜ୍ଞ ଜନେ ଭଲ ଅସାର ଶୁଣିଲେ

ଅସାର ଛାଡ଼ି ଭଲ ଘେନନ୍ତି ହୃଦେ ଭଲେ

।।

ହଂସ କ୍ଷୀର ନୀରୁ ଘେନିଲା ପରି କ୍ଷୀର

ଗୁଣ ଯୁକ୍ତ ବାକ୍ୟକୁ ଘେନନ୍ତି ବିଜ୍ଞନର

।।

ସାଧୁଜନ ପରକୁ ନିନ୍ଦିଲେ କରେ ଦୁଃଖ

ଦୁଷ୍ଟଜନ ପରକୁ ନିନ୍ଦିଲେ ପାଏ ସୁଖ

।।

ମୂର୍ଖ ଜନେ ଭଲ ମନ୍ଦ ତ ନ ଜାଣନ୍ତି

ମହା ସୁଖେ ବସି ଦିନକୁ ହରନ୍ତି

।।

ପର ଯେବେ ତାଙ୍କର ବାଛଇ ଦୋଷଗୁଣ

ସେହି ସେହିରୂପେ କରନ୍ତି ବଖାଣ

।।

ନିଜେ ହୋଇ ଦୁର୍ଜନ କେତେ ଲୋକମାନେ

ସଜ୍ଜନକୁ ଦୁର୍ଜ୍ଜନ ବୋଲନ୍ତି ବଚନେ

।।

ସତ୍ୟ ଧର୍ମ ଚ୍ୟୁତ ଯେ ଜନ ହୋଇଥାଏ

ନାସ୍ତିକକୁ ମଧ୍ୟ ସେ ଉଦବେଗ ଦିଏ

।।

ସତ୍ୟରୁ ଶ୍ରେଷ୍ଠତର ଆଉ କିଛି ନାହିଁ

ମିଥ୍ୟାରୁ ବଳି ପାପ ଅଛି ଅବା କାହିଁ

।।

ସବୁ ପ୍ରାଣୀଠାରେ ମନରେ ବଚନରେ

କାର୍ଯ୍ୟରେ ଯେଉଁ ଜନ ପାପକୁ ନକରେ

।।

ବ୍ରହ୍ମଟି ସେ ଜନକୁ ହୁଅଇ ପରାପତ

ଏକଥା ସବୁ ଋଷି ମତରେ ସମ୍ମତ

।।

ଯେଉଁ ଜନ ଜନକୁ ଭୟ ନଦିଅଇ

ପରଜନଠାରୁ ଭୟକୁ ନପାଇ

।।

କାହାଠାରେ କିଛି ନ କରଇ ଦ୍ୱେଷ

ତେବେଟି ମୋକ୍ଷ ତାର ହୁଅଇ ପରକାଶ

।।

ବିଦ୍ୟା ପାଇ ଗୁରୁଙ୍କୁ ଆଦର ଯେ ନ କରେ

ପ୍ରତିଷ୍ଠା ନାଶ କରି ପଡ଼ଇ ନରକରେ

।।

ଯେ ଜନ ପରନିନ୍ଦା ବଚନ ସହଇ

ତିନିଲୋକ ଯାକ ସେ ଧର୍ମରେ ଜିଣଇ

।।

ଯେଉଁ କ୍ରୋଧ ନିଜ ହୃଦରେ ଜାତ ହୁଏ

ଘୋଡ଼ାକୁ ବାଗଧରି ରଖିବା ପରାୟେ

।।

ସେ କ୍ରୋଧକୁ ଯେ ଜନ କରଇ ନିବାର

ଯନ୍ତା ବୋଲି ତାହାକୁ ବୋଲନ୍ତିଟି ନର

।।

ଯେଉଁ ଜନ କ୍ରୋଧକୁ ସର୍ପକାତି ପ୍ରାୟେ

ନ ରଖି ହୃଦୟରେ ଅଲଗା କରି ଦିଏ

।।

ସେହି ଜନକୁଟି ପୁରୁଷ ବୋଲି କହିଂ

ମୋହଠାରୁ ଏବେ ଶୁଣିଥାଅ ତୁହି

।।

ବାଳକମାନେ ଯେଉଁ ଦ୍ଵନ୍ଦ୍ୱ ଆରମ୍ଭନ୍ତି

ଜାଣିବା ଲୋକେ ତାହା ମନକୁ ନ ଆଣନ୍ତି

।।

ହୋଇଥିବ ଯେ ଜନ ସମ୍ପତ୍ତିରେ ନାଶ

କରିଥିବ ଶତ୍ରୁ ସମ୍ପତ୍ତିକି ଆଶ

।।

ଏଥିରୁ ହୀନ ହୋଇ ତିନି ଜଗତରେ

ଖୋଜିଲେ ତ ନଥିବ କଥାଏ କଷ୍ଟରେ

।।

ଅଧର୍ମ ଆଚରଣ ଯେ ଅବା କରଇ

ତତ୍କାଳେ ଫଳନିକି ପ୍ରାପତ ହୁଅଇ

।।

ପୃଥ୍ୱୀରେ ମଞ୍ଜି ଯେବେ ପୋତି ଦେଇ ରାୟେ

କ୍ରମରେ ବୃକ୍ଷ ହୋଇ ଫଳ-ଦାୟୀ ହୁଏ

।।

ସେ ରୂପରେ ଅଧର୍ମ ଦାନବ କୁଳ ପତି

ଆପଣା ଠାରେ ଫଳ ନୋହିଲେ ପ୍ରାପତି

।।

ପୁଅ ନାତିରେ ତା ଅବଶ୍ୟ ଫଳଇ

ଏ ବିଷୟରେ ନୃପ ସନ୍ଦେହ କିଛି ନାହିଁ

।।

ମିଥ୍ୟାକୁ ଆଚରଣ କରଇ ଯେଉଁ ନର

ସେହିଟି ହେ ନୃପତି ଅଟଇ ଧର୍ମଚୋର

।।

ମାତାପିତା ବଚନ କରଇଟି ଯେହି

ପୁତ୍ର ବୋଲିକରି ତାହାକୁଟି କହି

।।

ଯେଉଁ ପୁତ୍ର ପିତାମାତାର ହିତକାରୀ

କନିଷ୍ଠ ହେଲେ ଜ୍ୟେଷ୍ଠ ନୁହେ ତାକୁ ସରି

।।

ସହନକୁ ଅସହନ ଅଟେ ଊଣା

ଜାଣ ମୋ କହିବାରୁ ନୋହିଥିଲେ ଜଣା

।।

ଇତର ପ୍ରାଣୀଠାରୁ ମନୁଷ୍ୟ ପ୍ରଧାନ

ଅପଣ୍ଡିତକୁ ପଣ୍ଡିତ ଶ୍ରେଷ୍ଠ ଜନ

।।

ଯେ ଗାଳି ଦେବ ତାକୁ ଏ ଗାଳି ନ ଦେବ

ଗାଳି ଦେବା ଲୋକ ସୁକ୍ରୋଧେ ନାଶଯିବ

।।

ଅଭିଚାରାଦି ନୀଚ ଉପାୟ ପ୍ରଭାବେ

ଶତ୍ରୁକୁ ବଶୀଭୂତ ନକରିବ କେବେ

।।

ପରକୁ ଉଦବେଗ ଦିଅଇ ଯେଉଁ ନର

ନରକରେ ନିବାସ ହୁଅଇ ତାହାର

।।

ଯେ ରୂପେ ଆଗେ ପଛେ ସାଧୁଜନମାନେ

କରୁଥିବେ ପ୍ରଶଂସା ବସି ଅବିଚ୍ଛିନ୍ନେ

।।

ତହିଁ କି ଜଗି ଆଚରଣ କରୁଥିବ

ବଳିଆଇ ତାଙ୍କ କଥାକୁ ନ ଯିବ

।।

କାଣ୍ଡ ଅଙ୍ଗେ ବାଜିଲେ କ୍ଷଣେ ଦୁଃଖ ହୁଏ

ବଚନ କାଣ୍ଡ ସବୁବେଳେ ଦୁଃଖ ଦିଏ

।।

ଏଣୁକରି ସେ ଜନ ଜାଣିବାର ହେବ

ବଚନ-କାଣ୍ଡ ପରଜନକୁ ନ ବିନ୍ଧିବ

।।

ଦୟା, ଦାନ, ମଇତ୍ରୀ, ମଧୁର-ବଚନ

ଯାଠାରେ ଅଛି ତାର ସମସ୍ତେ ଅଧୀନ

।।

କହୁଥିବ ସବୁବେଳେ ପ୍ରିୟ କରି

ନିଷ୍ଠୁର ବଚନକୁ ଚିତ୍ତେ ନ ବିଚାରି

।।

ପୂଜ୍ୟ ଲୋକମାନଙ୍କୁ ପୂଜା କରୁଥିବ

ଥିଲେ ଦେବ, ନ ଥିଲେ କାହାକୁ ନ ମାଗିବ

।।

ନର ଲୋକେ ଲୋକ ହୋଇଲେ ଦ୍ରବ୍ୟହୀନ

ଯେ ରୂପେ ତାକୁ ଛାଡ଼ିଯାନ୍ତି ସବୁଜନ

।।

ସେ ରୂପେ କ୍ଷୀଣ ପୁଣ୍ୟ ହୋଇଲେ ସ୍ୱର୍ଗରେ

ଛାଡ଼ନ୍ତି ଦେବତାଏ ତାହାକୁ ସତ୍ୱରେ

।।

ପାକ ପାଇଁ ଅଗ୍ନି ନ କରେ ସଂଗ୍ରହ

ଘରେ ରହିବାରେ ନ କରଇ ସ୍ନେହ

।।

କୂଳ ଆଚରଣ ପ୍ରକାଶ ନ କରଇ

ଗୁହ୍ୟଦେଶ ମାତ୍ର ବସନେ ଘୋଡ଼ାଇ

।।

ପ୍ରାଣ ରକ୍ଷା ପାଇଁ କରଇ ଭୋଜନ

ଏପରି ଗ୍ରାମେ ଥିବା ଲୋକର ପୃଷ୍ଠେ ବନ

।।

ଯେଉଁ ମୁନି ସବୁ କର୍ମକୁ ଛାଡ଼ଇ

ଜିତେନ୍ଦ୍ରିୟ ହୋଇ ମଉନେ ରହଇ

।।

ସେହିଟିଏ ଲୋକରେ ସିଦ୍ଧିଟିକି ପାଏ

ଏହା କହିଛନ୍ତି ସମସ୍ତ ଋଷିଏ

।।

ଦାନ୍ତ ଘଷି, ନଖ ମୁଣ୍ଡି ସ୍ନାନ କରି

ଦଣ୍ଡ କମଣ୍ଡଳୁ ଆଦି ଚିହ୍ନ ଧରି

।।

ତପସ୍ୟାରେ କ୍ଷୀଣ କରିଣ ଅପଘନ

ସହୁ ଥାଏ ଶୀତ ଆତପ ପବନ

।।

ଆଶ୍ରୟ କରିଥାଏ ମଉନ ବ୍ରତକୁ

ଜିଣଇଟି ସେ ମୁନି ଏ ଦୁଇ ଲୋକକୁ

।।

ଗ୍ରାମରେତ ବହୁତ ଗୃହୀ ଥାନ୍ତି ରହି

ଗୃହ ନ ଇଚ୍ଛଇ ତହିଁରେ ଯେ ଥାଇ

।।

ଇଚ୍ଛାଚାରୀ ଲୋକର ସଙ୍ଗତେ ସଙ୍ଗ ନୋହି

ଗ୍ରାମେ ଥିଲେ ଶ୍ରେଷ୍ଠ ବୋଲି ଜାଣ ସେହି

।।

ପୂର୍ଣ୍ଣ ହୋଇ ଆୟୁ ନୋହି ଥିବ ଭୋଗ

ଏ କାଳେ ଆଚରିଲେ ଅଧରମ ଭାଗ

।।

ପଶ୍ଚାତ୍ତାପ କରି ତପସ୍ୟା କରିବ

ତେବେ ଆଶ୍ରମେ ଥିବା ଯତି ମୁକ୍ତହେବ

।।

ଯେଉଁ ଲୋକ ଫଳ ଇଚ୍ଛା ନ କରଈ

ଅହର୍ନିଶି ବସି ଧର୍ମ ଆଚରଇ

।।

ଧନ ଥିଲେ ଧନରେ ପ୍ରଭୃତ୍ୱ ନ ଥାଏ

ସାମର୍ଥ୍ୟ ଥିଲେ ଅସମର୍ଥ ପରି ହୁଏ

।।

ଏହି ରୂପେ କରତି ଅଛି ଯେଉଁ ନର

ଉତ୍ତମ ମାର୍ଗ ବୋଲି ଜାଣିବ ତାହାର

।।

ଯେବେ ନିଜ ଇନ୍ଦ୍ରିୟ କରିବ ଆୟତ୍ତ

ତେବେ ପୃଥ୍ୱୀ ତୁମ୍ଭଙ୍କୁ ଭୋଗ ହେବ ସତ

।।

ଧାର୍ମିକ, ଶୂର ଯାର ଥାନ୍ତି ଜ୍ୟାତି ନର

କେଉଁ ସୁଖ ଅବା ନାହିଁଟି ତାହାର

।।

ଅନ୍ୟୋନ୍ୟକୁ ଆଶ୍ରୟ କରି ସେ ଜ୍ଞାତିଏ

ବିପତ୍ତି ପଡ଼ିଲେହେଁ ନ କରନ୍ତି ଭୟେ

।।

ବନରେ ବୃକ୍ଷମାନେ ଲଗା ଲଗି ହୋଇ

ଥିଲେ ପବନ କି ଭାଙ୍ଗିତା ପାରଇ

।।

ବିପତ୍ତିରୁ ତରିବା ଇଚ୍ଛା ଥାଏ ଯାର

କଷ୍ଟେ ପ୍ରାଣ ରଖିବା ଉଚିତ ତାହାର

।।

ବିପତ୍ତିରେ ଧର୍ମ ରଖନ୍ତି ଯେଉଁ ନର

ଧର୍ମବୀର ମାନଙ୍କେ ଅଟନ୍ତି ସେ ସାର

।।

ପୁଣ୍ୟ କଲା ଲୋକର ଶୀର୍ଣ୍ଣ ନୋହେ କାୟେ

ପୁଣ୍ୟ କଲେ ପର ପ୍ରାଣ ମଧ୍ୟ ଦିଏ

।।

ନିନ୍ଦିତ-କର୍ମ, କ୍ରୂର-କର୍ମଙ୍କୁ ଛାଡ଼ିବ

ଯେ ଜନ ପଣ୍ଡିତଙ୍କ ବଚନ ମାନିବ

।।

ଉପକାର କରିବା ଲୋକର ଉପକାର

ଯେ କରଇ ଉତ୍ତମ ପୁରୁଷ ସେ ନର

।।

ପରଲୋକ-ବନ୍ଧୁ ଧର୍ମଟି ଅଟଇ

ଧନ, ନାରୀ, ଜନ, ସ୍ଥିରଟି ନୁହଇ

।।

ସାମ, ଦାନ, ଭେଦ, ଦଣ୍ଡ, ଇନ୍ଦ୍ରଜାଲ

ଉପେକ୍ଷା, ମାୟା, ସାତ ଉପାୟ ଭୂପାଳ

।।

ଶାସ୍ତ୍ର ତ ଲେଖିଅଛି ଷଟ କର୍ଣ୍ଣ ହେଲେ

ବିଚାର ଦାଣ୍ଡେ ପଡ଼ି ନାଶ ଯାଏ ଭଲେ

।।

ଅଳପ ବ୍ୟବସାୟେ ହେଲେ ମହାକାର୍ଯ୍ୟ

ତତକାଳେ ସେ କଥା କରିବ ମହାରାଜ

।।

ଯୁଧିଷ୍ଠିର ରାଜାଙ୍କ ନ ଥିବାରୁ ଶତ୍ରୁ

ଏଣୁ ନାମ ବହିଲେ ସେ ଅଜାତଶତ୍ରୁ

।।

ଯେଉଁ ଲୋକ ପରର ଜାଣଇଁ ଅନୁଭାବ

ସେ କିପାଁ ଆପଣାକୁ ପ୍ରଶଂସା କରିବ

।।

ଯାହାକୁ ପର ଲୋକେ କରନ୍ତି ପ୍ରଶଂସା

ସେହିଟିଁ ପୂଜା ପାଏ ମାଧବ, ଏ ରସା

।।

ଦୁର୍ବଳ କୁଳେ ଜନ୍ମି ହେବ ଯେ ବଳିଆର

ତାହାକୁ ପ୍ରଶଂସାଟି କରନ୍ତି ସବୁ ନର

।।

ଉପାୟ, ନୀତି, ଦୁଇ କଥା ଯାର ନାହିଁ

ଯୁଦ୍ଧେ ପରାକ୍ରମ କଲେ ସେ ମରଇ

।।

ନାସ୍ତିକ ଲୋକସିନା ପରର ବସ୍ତୁକୁ

ହରିବାକୁ ବଳାଉ ଥାଆନ୍ତି ଆଶାକୁ

।।

ଯେଉଁ ଲୋକ ଆପଣା ଧର୍ମରେ ସନ୍ତୁଷ୍ଟରେ

ଥାଏ ଜାଣ ଦିନ ସେ ନିଅଇ ହୃଷ୍ଟରେ

।।

ଯେଉଁ ଲୋକ ପର ଧନରୁ ଛାଡ଼ି ଲୋଭ

ଆପଣା ଅଦୃଷ୍ଟକୁ ମଣଇ ସୁଲଭ

।।

ସେ ଲୋକର ଜାଣ ହୁଅଇ ସମ୍ପତ୍ତି

ଏଥିରୁ ଆନ ହେଲେ ପାଏ ସେ ବିପତ୍ତି

।।

ପଡ଼ିଲେ ବିପତ୍ତିକୁ ମନେ ନ ଘେନିବ

ନିରଳସ ହୋଇ ଦିନକୁ ହରୁଥିବ

।।

ଉତ୍ସାହକୁ ମନରେ ଥିବ ଆଣ୍ଟ ଧରି

କହୁଥିବ ସଭାରେ କଥା ସ୍ପଷ୍ଟ କରି

।।

ବିନୟରେ ନିତି ଲୟ ଦେଇଥିବ

ଯେଉଁ କଥା ପଡ଼ିବ ତହିଁକି ଜଗିବ

।।

ଏପରି ଯେଉଁ ଲୋକ ଅଛି ଏ ଲୋକରେ

ନ ବୁଡ଼େ ତାର ଚିତ୍ତ କେବେଟି ଶୋକରେ

।।

ପୁଣି ଶାସ୍ତ୍ର ଲେଖିଛି ଯେ ମିତ୍ର ଲୋକକୁ

ଦ୍ରୋହକରେ ତାର ସେ ବରଇ ନରକକୁ

।।

ଶତ୍ରୁ ବଶ ଲୋକକୁ ଘେନି କଲେ କାର୍ଯ୍ୟ

ଅବଶ୍ୟ ତାହାରଟି ହୁଅଇ ଅକାର୍ଯ୍ୟ

।।

ଜନ୍ମ ହେଲାକ୍ଷଣି କାହାର ଶତ୍ରୁ ନାହିଁ

ଯେ ଯାକୁ ପୀଡ଼ା ଦିଏ ତାର ଶତ୍ରୁ ସେହି

।।

ଲୋକମାନଙ୍କର ମାର୍ଗକୁ ଯେ ଜାଣଇଁ

ଜାଣ ସେ ସବୁଠାରେ ବ୍ୟଭାର କରଇ

।।

ଯେ ରୂପରେ ଲୋକ ମଧୁର ଲୋଭରେ

ଗଛରେ ଚଢ଼ି ତାହା କାଟଇ ସଧରେ

।।

ସେ ସକାଶୁଁ ମଧୁମାଛିଏ ଉଡ଼ନ୍ତି

ଚାରିଆଡ଼ୁ ବେଢ଼ି ତାକୁ କାମୁଡ଼ନ୍ତି

।।

ତେବେ ତାହା କିଛି କରି ସେ ନ ଗଣେ

ମରଣକୁ ବରଣ କରଇ ଆପଣେ

।।

ଶାସ୍ତ୍ର ଲେଖିଅଛି ରହିବ ଯେବେ କୁଳ

ଗୋଟିକୁ ଛାଡ଼ିଦେବ ହେବ ସେ କୁଶଳ

।।

ଗ୍ରାମ ପାଇଁ ମଧ୍ୟ ଛାଡ଼ିବ କୁଳକୁ

ଦେଶପାଇଁ ଛାଡ଼ିବ ସେରୂପେ ଗ୍ରାମକୁ

।।

ଅଙ୍ଗାରପାଇଁ ଲୋକେ ହାଣି ତରୁବର

ପୋଡ଼ିଲା ପରି ରୀତି କେବେହେଁ ନ କର

।।

ଜୂଆ, ଦୁଷ୍ଟ କଥାମାନଙ୍କର ମୂଳ

ଯହିଁ ସେ ପ୍ରବର୍ତ୍ତଇ କରାଏ ଆଗ ଗୋଳ

।।

ଜାଣିମାର ହୋଇ ପରକୁ ଅନୁଗତ

ହେଲେ ତାକୁ ନିନ୍ଦା କରନ୍ତି ଜଗତ

।।

ଅଗ୍ନିରେ ନ ଲାଗୁଁ ଦ୍ରବ୍ୟ ଯେ ନ ଆଣଇ

ସବୁରି ମତରେ ସେ କିଛି ନ ଜାଣଇ

।।

କହିଲେ ହିତ ଲୋକ କର୍ଣ୍ଣକୁ ଶୁଭେ କଟୁ

ଅହିତ ଯେ କହେ ସେ ସିନା କରେ ଚାଟୁ

।।

ପ୍ରିୟ କହି ଅହିତ କରିବା ଲୋକେଛନ୍ତି

ଅପ୍ରିୟ କହି ହିତ କରିବା କେ ନାହାନ୍ତି

।।

ଲୋକମାନେ କେବଳ ମାନନ୍ତି ଧର୍ମକୁ

ଫିଙ୍ଗିଦେଇ କରି ପଛକୁ ଅଧର୍ମକୁ

।।

ଧର୍ମ ଯେବେ ଆମ୍ଭେ ପାଳନା କରିଥିବୁଁ

ତେବେ ଜାଣ ଏ ଦୁଃଖ ସମୁଦ୍ରୁଁ ତରିବୁଁ

।।

ପଚାରିଲେ ସଭାରେ ଜାଣି ଯେ ତୁନି ହୁଏ

ମିଥ୍ୟା କଥା ଦୋଷରୁ ଅଧିକ ସେ ପାଏ

।।

ଇଷ୍ଟ ବିବର୍ଜ୍ଜନ ଅନିଷ୍ଟ ସ୍ପରଶ

ବ୍ୟାଧି ଶ୍ରମ ଏ ହେଲେ ହୁଅଇ ଦେହ କ୍ଳେଶ

।।

ବୁଦ୍ଧିମନ୍ତ ଆଗ ମନୋଦୁଃଖ ନାଶି

ପଛେ ସବୁ କଥାକୁ ଉପାୟ କରେ ବସି

।।

ତାତିଲା ଲୁହା ପାଣି କୁଣ୍ଡରେ ପଡ଼ିଲେ

ଯେଉଁ ରୂପେ ତପତ କରେ ସେ ତାକୁ ଭଲେ

।।

ସେହିରୂପେ ମନୋଦୁଃଖ-ଅଗ୍ନି ଘୋଟି

ଆଗକରି ପୋଡ଼ି ଦିଅଇ ଶରୀରୁଟି

।।

ସ୍ନେହରୁ ମନଦୁଃଖ ଦେଉଅଛି ଜାତ

ସ୍ନେହରୁ ହେଉଛନ୍ତି ପ୍ରାଣିଏ ଆସକତ

।।

ସ୍ନେହ, ଭୟ, ହରଷ, ଶୋକର ଜନନୀ

ଅୟାସକୁ ମଧ୍ୟ ଥାଏ ସଙ୍ଗେ ଘେନି

।।

ତୃଷ୍ଣା ସକାଶରୁ ଅଧର୍ମ ବହୁଳ

ହୋଇ ତାକୁ କରି ଦିଅଇ ନିର୍ମୂଳ

।।

ତୃଷ୍ଣା ଯହିଁଥାଏ ତହିଁ ଥାଏ ଲୋଭ

ଲୋଭରୁ ଅନର୍ଥଟି ହୁଅଇ ସୁଲଭ

।।

ଅର୍ଥ ପୁଣି ଚୋର, ଅଗ୍ନି, ରଜାଠାରେ

ଭୟକୁ ଜାତ କରୁଥାଏ ନିରନ୍ତରେ

।।

ଯେଉଁ ରୂପେ ମାଛ ମାରଇ ମାଛକୁ

ସେ ରୂପେ ନର ଲୋଭେ ମାରନ୍ତି ନରକୁ

।।

ଅରଜନ ପାଳନ ବ୍ୟୟ ଏ ତିନି କଥା

ହୋଇ ଅର୍ଥ ସକାଶୁଁ ଦେଉଥାଏ ବ୍ୟଥା

।।

ଐଶ୍ଚର୍ଯ୍ୟ, ରୂପ, ଦ୍ରବ୍ୟ, ଜୀବନ, ଅନିତ୍ୟ

ବୋଲି ସ୍ନେହ ଏଥିରେ ନକରେ ପଣ୍ଡିତ

।।

ଗୃହୀଲୋକ ଅନୁଗତକୁ ଆଗ ଦେବ

ତଦଅନ୍ତେ ଯାଇ ଭୋଜନ କରିବ

।।

ନଥିଲା ଗୃହୀ ଯେବେ ଦେଖିବ ଅତିଥି

ପାଣିପିଢ଼ା ଦେଇ ପୂଜିବ ଝଟିତ

।।

ରୋଗୀ ଯେବେ ଅତିଥି ହୋଇଣ ଆସିବ

ଶୋଇବାକୁ ତାକୁ ଆସନ ଖଣ୍ଡେ ଦେବ

।।

ତୃଷାର୍ତ୍ତ ଅତିଥିକି ଦେବ ପାଣି ପଣା

ଏଥି କଦାଚିତେ ନୋହିବ ବୁଦ୍ଧିବଣା

।।

କ୍ଷୁଧିତ ହୋଇଥିବ ଯେଉଁ ଅତିଥିଟି

ତାହାକୁ ଦେବ ଦିବ୍ୟ ଅନ୍ନରେ ଗ୍ରାସୁଟି

।।

ଅଗ୍ନିହୋତ୍ରୀ, ବୃଷଭ, ଅତିଥି, ଜ୍ଞାତି, ବନ୍ଧୁ

ପୂଜା ନୋହିଲେ ଏ ବଢ଼ାନ୍ତି କ୍ରୋଧସିନ୍ଧୁ

।।

ଭୃତ୍ୟ, ଦାର, ସୁତମାନେ ଏହିରୂପେ

ନ ପାଇଲେ ପୂଜା ନାଶନ୍ତି ତାକୁ ଆପେ

।।

ଆପଣା ପାଇଁ ନ କରାଇବ ଅନ୍ନପାକ

ତୁପ ନୋହିବଟି ପଶୁଙ୍କ ଘାତକ

।।

ପିତୃ ଦେବତାକୁ ନଦେଇ ଭୋଜନ

ନକରିବ ଯିଏଟି ହେବ ସାଧୁଜନ

।।

କୁକୁର, କୁଆ, ଚାଣ୍ଡାଳକୁ ବଳିଦେଇ

ତେବେ ଭୁଞ୍ଜି ବସିବ ବଳୀ ହେବାପାଇଁ

।।

ସନ୍ଧ୍ୟାବେଳେ ପ୍ରାତଃକାଳରେ ଯାହା ଦେଇ

ବୈଶ୍ୱଦେବ ନାମଟି ତାହାର ଅଟଇ

।।

ସମସ୍ତଙ୍କୁ ଦେଇ ବୈଶ୍ୱଦେବ କରି

ଯେ ଭୁଞ୍ଜଇ ଅମୃତ ଭୋଜନ ତାହାରି

।।

ସାଧୁଲୋକ ଯହିଁକି କରୁଥାନ୍ତି ଦୁଃଖ

ତାହାକୁ ଅସାଧୁଏ ମଣୁଥାନ୍ତି ସୁଖ

।।

ଇନ୍ଦ୍ରିୟଙ୍କ ନିଗ୍ରହ କରି ନିରନ୍ତରେ

କଷା ପିତା ଆହାରେ ଶୋଚନା ନ କରେ

।।

କର୍ମଫଳ ଛାଡ଼ି ଅଭ୍ୟାସ କରେ ବେଦ

ତହିଁରେ ପୁଣି ହେଉଥାଏ ସେ ପ୍ରମୋଦ

।।

ଚିତ୍ତକୁ ସବୁଠାରୁ ଦେଇ ନିବର୍ତ୍ତାଇ

ରଖିଥାଏ ତାହାର ଆୟତ୍ତ କରାଇ

।।

କାହାଠାରେ ପ୍ରିୟ ଅପ୍ରିୟ ନ ଘେନେ

ମଲେ ଦେବତାଟି ହୁଅନ୍ତି ସେମାନେ

।।

ମୋକ୍ଷ ଅର୍ଥ କାମର ଅଟଇ ଧର୍ମ ମୂଳ

ଧର୍ମ ଥିଲେ ଲୋକ ହୁଅଇ ମହୀପାଳ

।।

ଶତ୍ରୁଦେଲା କ୍ଳେଶକୁ କାଳ ବଶେ ସହି

ଯେ ରହିଛି ଜାଣ କାର୍ଯ୍ୟପାଏ ସେହି

।।

ସମସ୍ତଙ୍କୁ ଆଗ ଖୁଆଇବ ଅନ୍ନ

ଯେ ରଜା ହେବ ପଛେ କରିବ ଭୋଜନ

।।

ତେବେଟି ଲୋକଙ୍କର ମନ ସେ ପ୍ରଭୁ ପଛେ

ରହିଥାଏ ଅହର୍ନିଶିରେ ଅତି ସ୍ୱଚ୍ଛେ

।।

ଜୂଅ, ସ୍ତିରୀସଙ୍ଗ, ମୃଗୟା, ମଦ୍ୟପାନ

ଛାଡ଼ନ୍ତି ଯେ ହୁଅନ୍ତି ସାଧୁ ସେ ରାଜନ

।।

ଜୂଅରେ ଯେଉଁ ଲୋକ ହୁଅଇ ଆସକତ

ଦିନକେ ହାରେ ସପ୍ତପୁରୁଷାର୍ଜିତ ବିତ୍ତ

।।

ଯେଉଁ କ୍ଷତ୍ରିୟଟି ନିତ୍ୟ କରେ କ୍ଷମା

ଭୃତ୍ୟଙ୍କ ସକାଶରୁ ଲଭେ ସେ ଦୁଃଖ ସୀମା

।।

ହିଂସା କଲା ଲୋକକୁ ଯେ ହିଂସା କରିବ

କରିବା କୀର୍ତ୍ତି ତାର ବିନାଶ ହୋଇବ

।।

କ୍ଷମା ଯେଉଁ ଲୋକର ହୃଦୟେ ହୋଏ ଜାତ

ତାହାକୁଟି ଦୟା କରନ୍ତି ଲକ୍ଷ୍ମୀକାନ୍ତ

।।

କାଠ କୁଣ୍ଢାଇଟିମାନଙ୍କୁ ନର୍ତ୍ତକ

ନଚାଇଲା ପରି ଏ ସମସ୍ତ ଲୋକ

।।

ଈଶ୍ୱରର ମାୟା ରଜ୍ଜୁରେ ବନ୍ଧା ହୋଇ

ଚଳୁଛନ୍ତି କାହାର ଆୟତ୍ତଟି ନାହିଁ

।।

ବୃଷଭ ନାକେ ରଜ୍ଜୁଦେଇ ଯେଉଁ ଆଡ଼େ

ଝିଙ୍କୁଥିଲେ ଯାଉଥାଏ ସେହି ଆଡ଼େ

।।

ସେହି ରୂପେ ଈଶ୍ୱର ପ୍ରଭାବରେ ଲୋକ

କରୁଥାଏ ବସି ବିବେକା ବିବେକ

।।

ପ୍ରାଣିଏ ଈଶ୍ୱରରେ ପ୍ରେରିତ ହୁଅନ୍ତେ

ସ୍ୱର୍ଗ ନରକକୁ ଭୁଞ୍ଜନ୍ତି ସମସ୍ତେ

।।

ଅନ୍ତର୍ଯ୍ୟାମୀ ରୂପେ ସବୁରି ଦେହେ ଥାନ୍ତି

ଶୁଭ ଅଶୁଭକୁ ବିଧାନ କରନ୍ତି

।।

ସାକ୍ଷାତେ ଦେଖୁଥାଇଁ ପାପରେ ଲୋକମାନେ

ଅସ୍ତ ଦଶା ଗୋଟିକୁ ଭଜନ୍ତି ବହନେ

।।

ଯେ ଫଳ ଇଚ୍ଛା କରି ଧରମ ଆଚରେ

ତାହାକୁଟି ନିନ୍ଦା କରନ୍ତି ସଂସାରେ

।।

ସ୍ୱର୍ଗ ସମୁଦ୍ରକୁ ଧର୍ମଟି ବୋଇତ

କହୁଛି ବୁଝିବାକୁ ତୁମ୍ଭେଟି ମୁଁ ସତ

।।

ଧର୍ମ ଅଧରମ କରଇ ଯେଉଁ ନର

ଅବଶ୍ୟ ଶୁଭା ଶୁଭ ହୁଅଇ ତାହାର

।।

ବକ ମଧ୍ୟ ଜଳରେ ଥାଇ ତାର କର୍ମ

ଆଚରି ଆହାର ସେ କରୁଛି ନିଜଧର୍ମ

।।

କର୍ମ କରିବାରେ ସାମର୍ଥ୍ୟ ଥାଇ କରି

ଯେଉଁ ଲୋକ ରହଇ କର୍ମକୁ ନ କରି

।।

ଅଳପ କାଳରେଟି ତାହାର ନାଶୁଟି

ପ୍ରକାଶିତ ହୁଅଇ ଜଗତ ମଧ୍ୟେଟି

।।

କୃଷକର ବୁଣିବା କଥାଟି ଆୟତ୍ତ

ସେ ହେବା ନୋହିବାରେ ପର୍ଜନ୍ୟ ସାମନ୍ତ

।।

ଫଳ ନ ଫଳିଲେ ଅଦୃଷ୍ଟ ଆବରି

ରହିବ ଲୋକନିନ୍ଦା ସମୁଦ୍ରରୁ ତରି

।।

ଧର୍ମ ଅର୍ଥ ଛାଡ଼ି ଯେ ଅର୍ଥ ଇଚ୍ଛାକରେ

ହିଂସ୍ରିତ ହୁଅଇ ସେ ସବୁ ପ୍ରାଣିଙ୍କରେ

।।

କାମାର୍ଥୀ ହୋଇ ଧର୍ମ-ଅର୍ଥ ଯେ ଲଂଘଇ

ନ ରହଇ ତା ପାଶେ ଗୋଟିଏ ସାହା ହୋଇ

।।

ଜଳ କ୍ଷୟେ ମୀନ ଯେ ରୂପେ ଯାଏ ନାଶ

କାମ ଘେନି ସେ ରୂପେ ପାଏ ସେ ଦେହ କ୍ଳେଶ

।।

କାମ ଲୋଭ ସକାଶୁ ଛାଡ଼ଇ ଯେ ଧର୍ମ

ତାହାକୁ ନାଶ କରି ପଳାଏ ଅଧର୍ମ

।।

ଯାହାରଟି ଯୁବା ଅବସ୍ଥା ହୋଇବ

କାମ, ଅର୍ଥ, ଧର୍ମକୁ କ୍ରମରେ କରିବ

।।

ଦ୍ରବ୍ୟ ଥିଲେ ସବୁ ଧରମ ହୁଅଇ

ଦ୍ରବ୍ୟ ହୀନ ଲୋକ କରିବ ତାହା କେହିଁ

।।

ଏ ଜୀବତ ପାଣି ଫୋଟକା ପରାୟେ

ନ ଜାଣଇଁ ଲୋକ ଏ କେତେବେଳେ ଯାଏ

।।

ଯେଉଁ ଲୋକ ବସିଥାଏ ଘରେ ବ୍ୟର୍ଥ

ଅକସ୍ମାତେ ଯେବେ ମିଳଇ ପଦାର୍ଥ

।।

ସେ ଲୋକକୁ ହଠବାଦୀ ବୋଲି କହି

ଶାସ୍ତ୍ର ଲେଖିଅଛି ସନ୍ଦେହ ଏଥି ନାହିଁ

।।

ଦଇବ ଉପରେ ସେ ଦେଉଥାଏ ଭାର

ଦଇବ ଦେବା ଧନ ଅଟଇଟି ତାର

।।

ଉଦଯୋଗ କରି ସେ ଅରଜେ ବିତ୍ତ

ପଉରୁଷ ବୋଲିଟି ତାର ନାମ ଖ୍ୟାତ

।।

ପୂର୍ବ ଜନ୍ମ ସୁକୃତେ ଯାହାର ଦ୍ରବ୍ୟ ହୁଏ

ସ୍ୱଭାବାତ୍ମକ ତାକୁ ବୋଲନ୍ତି ସଭିଏ

।।

ହଠରେ, ଦଇବରେ, ସ୍ୱଭାବେ କର୍ମେ ଲୋକ

ଅର୍ଜିବା ଧନ ପୂର୍ବ କର୍ମର ଫଳ ଯାକ

।।

ପ୍ରତି ଗ୍ରହରୁ ଯେ ନିବର୍ତ୍ତାଇ ମନ

କରିଥାଏ ନିର୍ମଳ ଆପଣା ଅପଘନ

।।

ଦୂରରୁ ଦୂର କରି ହୃଦୟ ଅହଙ୍କାର

ପାତକ କଥା ମନେ ନ କରେ ବିଚାର

।।

ଧନ ଅରଜନ କଥାକୁ ନ ଜାଣଇଁ

ଜିତେନ୍ଦ୍ରିୟ ହୋଇ ଦିନକୁ ନିଅଇ

।।

ଅକ୍ରୋଧନ ହୋଇ ହୋଇବ ସତ୍ୟଶୀଳ

ଏପରି ଲୋକରଟି ଅଛି ତୀର୍ଥ ଫଳ

।।

ଯେଉଁ ଲୋକ ହୃଦୟ ଧର୍ମରେ ନିର୍ମଳ

ସେହିଟି ତୀର୍ଥ ଯାଇ ଲଭଇ ତୀର୍ଥ ଫଳ

।।

ଅତି ବୃଷ୍ଟି, ଅନାବୃଷ୍ଟି ହେଉଥାଏ

ଅଧର୍ମୀମାନଙ୍କର ନାଶର ଉପାୟେ

।।

ବ୍ୟାଧି କ୍ଷୁଧା ସକାଶୁଁ ପାଉଥାନ୍ତି ପୀଡ଼ା

ତେବେହେଲେ ଅଧର୍ମ କରନ୍ତି ଛାଡ଼ି ବ୍ରୀଡ଼ା

।।

ଆଚାରରୁ ଧର୍ମ ହେଉଛି ଉପଗତ

ଧର୍ମରୁଟି ବେଦ ହେଉଛି ପ୍ରତିଷ୍ଠିତ

।।

ନୀତି ଛାଡ଼ି ଯେବେ ଅନୀତି ଲୋକ କରେ

ଅଳପ କାଳରେଟି ପଡ଼ଇ ଶୋକରେ

।।

ଚାକର ହୋଇ ଯେବେ ପ୍ରଭୁରେ ଦୋଷ କରେ

ତେବେ ସେ କୃପାଣକୁ ଆଣଇଁ ଗଳାରେ

।।

ସତ୍ୟ, ଦାନ, କ୍ଷମା, ଅନୃଶଂସ୍ୟ, ଗୁଣ

ଯାର ଅଛି ସେଟି ବୋଲାଏ ବ୍ରାହ୍ମଣ

।।

ସର୍ପ ବୋଇଲେ, ହେ ମରିଗଲେ ନର

ଦେବ, ନର, ପଶୁ, ଶରୀର ହୁଏ ତାର

।।

ଚତୁଷ୍ପାଦ ଯେବେ ସୁକୃତ ହୁଅଇ

ତେବେ ଦେବ ରୂପେ ସ୍ୱର୍ଗରେ ବସଇ

।।

ଦୁଇ ପାଦ ସୁକୃତ ହୁଅଇ ଯାହାର

ସତ୍ୟଯୁଗ ସୁଖ ଭୁଞ୍ଜଇ ସେହି ନର

।।

କାମ, କ୍ରୋଧ, ହିଂସା ଯୁକତ ଯାର କାୟେ

ପଶୁ ଶରୀରେଟି ଆସି ସେ ଜାତ ହୁଏ

।।

ଥିଲେ ପୂର୍ବେ ସୁକୃତ୍ୱ ପଶୁ ଜନ୍ମୁ ତରି

ପୁଣି ଜାତ ହୁଏ ମନୁଷ୍ୟ ରୂପ ଧରି

।।

ଧର୍ମଶିକ୍ଷା ଲୋକକୁ ଏ ସଂସାରୁ ତାରେ

ନାହିଁ କିଛି କାର୍ଯ୍ୟ ଜାତିରେ, କୁଳରେ

।।

କର୍ମକୁ ଅନୁରୂପ ଆନ ଦେହ ଘରେ

ସେ ପ୍ରାଣ ଧନ ଯାଇ ରହଇ ସତ୍ୱରେ

।।

ଯେଉଁମାନେ ଧନ ନ ଖାନ୍ତି ନ ଦିଅନ୍ତି

ଇହ-ପର ଦୁହିଁରେ ନାହିଁ ତାଙ୍କ ସ୍ଥିତି

।।

ବାକ୍ୟ-ଶୌଚ, କର୍ମ-ଶୌଚ, ଜଳ-ଶୌଚ

ଯେ କରିଛି କେବେଟି ନ ଦେଖେ ସେ ମଞ୍ଚ

।।

ମନ ବଚନରେ ଯେ କରିନାହିଁ ପାପ

ତାହାର ଲୋଡ଼ା ହେବ କାହିଁକିଟି ତପ

।।

ଯାହାର ଜ୍ଞାତିଠାରେ ଦୟା ନାହିଁ କିଛି

ତାର ଜପତପରେ କି କାର୍ଯ୍ୟ ନୃପବତ୍ସି

।।

ଜ୍ଞାନ ଯାର ନାହିଁ, ଧର୍ମ ତାର ନାହିଁ

ଜ୍ଞାନ ଥିବା ଲୋକଟି ବୋଲାଏ ପୁଣ୍ୟ ଦେହୀ

।।

ଆତ୍ମ ଜ୍ଞାନ ଯାର ଅଛି ନୃପବର

ଅଧିକ ପାଠ ଲୋଡ଼ା ନାହିଁଟି ତାହାର

।।

ପିତା ମାତା ଯାଠାରେ ସନ୍ତୁଷ୍ଟ ନିୟତ

ତାର ଇହ ପରରେ କୀର୍ତ୍ତି ହୁଏ ଖ୍ୟାତ

।।

ଏ ସକାଶୁଁ ପିତା ମାତା ଠାରୁ ମହୀ

ମଣ୍ଡଳରେ ଆଉ କେହି ବଡ଼ ନାହିଁ

।।

ଦାନ, ବ୍ରତ, ତପ, ଉପବାସ କଲେ

ସ୍ତିରିମାନେ ତରି ନ ପାରନ୍ତି ଭଲେ

।।

ଭର୍ତ୍ତା ତାହାଙ୍କର ଅଟଇ ପୋଷକ

ତା ସେବାରେ ଏକା ସେ ବସଇ ସ୍ୱର୍ଗଲୋକ

।।

ଭରତା ସେବା ବିନା ଆନମତେ ତାଙ୍କୁ

ନାହିଁ ଗତି ଜାଣ ସଂସାରୁ ତରିବାକୁ

।।

ହିଂସା କଲା ଲୋକକୁ ହିଂସା ନ କରିବ

ଗୁରୁଙ୍କୁ ସନ୍ତୋଷରେ ପୂଜା କରୁଥିବ

।।

ଇନ୍ଦ୍ରିୟ ନିଗ୍ରହରେ କରିଣ ଯତନ

ହରୁଥିବ ରଜନୀ ଦିବସ ପ୍ରତି ଦିନ

।।

ମିଥ୍ୟାରୁ ପ୍ରବର୍ତ୍ତଇ ଆପଣା ମନୀଷା

ବେଦକୁ ଚାହିଁ କରି କହୁଥିବ ଭାଷା

।।

କାମ କ୍ରୋଧ ଦୁହିଁଙ୍କି କରୁଥିବ ଦୂର

ନ ଖାଇବ ମିଳିଲେ ବହୁତ ଆହାର

।।

ଯାଗ କରାଇବ ଆପଣେ କରିବ

ବ୍ରହ୍ମଚାରୀ ହୋଇ ଦିନକୁ ହରିବ

।।

ଏ ରୂପେ ଗୁଣଥିଲେ ବ୍ରାହ୍ମଣ ବୋଲି କହି

ନୋହିଲେ ଅବ୍ରାହ୍ମଣ ବୋଲାଏ ସେ ମହୀ

।।

ପୂର୍ବେ ଲୋକ କରିଥାଏ ଯେଉଁ କର୍ମ

ପୁଣି ଜନ୍ମ ହେଲେଟି ଭୁଞ୍ଜଇ ସେ କର୍ମ

।।

ଯେଉଁମାନେ ସ୍ୱଧର୍ମ କରି ଜୀଇଥାନ୍ତି

ସବୁଙ୍କରି ଜାଣ ଆଶ୍ରୟ ସେ ହୁଅନ୍ତି

।।

ଉଦଯୋଗ କରଇ ନିତି ଯେଉଁ ଲୋକ

ତା ଇଚ୍ଛାରେ ସେହିଟି କରଇ କାର୍ଯ୍ୟଯାକ

।।

ଶକତି ଅନୁରୂପେ ଦେଉଥାଏ ଦାନ

ଧର୍ମରେ ବୁଦ୍ଧି ରଖି ଥାଏ ପ୍ରତି ଦିନ

।।

ଦାନ ଦେବା ବିନା ଆନ ଗୁଣ ଯେତେ

ଥିଲେ ବିଖ୍ୟାତଟି ନୁହଇ ମହାମତେ

।।

ମିଥ୍ୟା କଥା ଛାଡ଼ି ଲୋକଙ୍କର ପ୍ରିୟ

କରୁଥିବା ଲୋକର ହୁଏଟି ଉଦୟ

।।

କାମ କ୍ରୋଧ ଦୋଷରେ ନ ଛାଡ଼ିବ ଧର୍ମ

ସେଥିରେଟି ପ୍ରକାଶଇ ବଡ଼ କର୍ମ

।।

ଧର୍ମ କଥା ଦେଖିଲେଟି ଯେହୁଟି ହସନ୍ତି

ସେହୁଟି ଅଳପକେ ନାଶକୁ ପାଆନ୍ତି

।।

ମୂର୍ଖକୁ ଯେଉଁମାନେ ପ୍ରଶଂସି କହୁଥାନ୍ତି

ପାଣିରେ ପ୍ରସ୍ରା କଲା ପ୍ରାୟେ ତାଙ୍କରୀତି

।।

କାହାକୁ ହିଁ ମୁଖେ ନକରିବ ନିନ୍ଦା

ଏ ବାହାରେ ନ କରିବ ଆତ୍ମ ବନ୍ଦା

।।

ଆପଣା ସ୍ତୁତି ବସି ଆପଣେ ଯେବେ କରେ

କରନ୍ତି ନିନ୍ଦା ତାକୁ ବସି ସବୁ ନରେ

।।

ପାପକୁ ପ୍ରତି ଲୋଭ ଅଟଇ କାରଣ

ଏହା ଜାଣି ଛାଡ଼ିବ ଲୋଭ ଆଚରଣ

।।

ବୋଇଲା ବ୍ୟାଧ ଯାଗ, ତପ, ସତ୍ୟ, ଦାନ

ଶିଷ୍ଟାଚାର ଏହା ବୋଲନ୍ତି ସବୁ ଜନ

।।

କାମ, କ୍ରୋଧ, ଦମ୍ଭ, ଲୋଭକୁ ଯେ ଜିଣି

ଅଛି ସେ ଲୋକ ଶିଷ୍ଟ ବୋଲାଏ ବିପ୍ରମଣି

।।

ଶିଷ୍ଟାଚାରେ ଯେବେ ମନ ଲୋକ ଦିଏ

ଇହଲୋକେ ପ୍ରତିଷ୍ଠା ଅର୍ଜି ସୁଖ ପାଏ

।।

ନାସ୍ତିକ, କ୍ରୂର, ପାପୀ, ଅମର୍ଯ୍ୟାଦୀଙ୍କର

ସଙ୍ଗକୁ ଛାଡ଼ିଦେବ ଯେ ହେବ ଶିଷ୍ଟାଚାର

।।

କାମ-କ୍ରୋଧ ଗ୍ରାହ, ଦୁଃଖ ନଦୀ-ଜଳ

ଧଇର୍ଯ୍ୟ-ନାବେ ପାରି ହୁଅନ୍ତି ତତକାଳ

।।

କ୍ରମରେ ଯେଉଁ ଲୋକ ଧର୍ମ କରୁଥାଏ

ତହୁଁ ଜ୍ଞାନତତ୍ତ୍ୱ ଉପୁଜେ ତାର କାୟେ

।।

ସତ୍ୟ କହିବାର ଲୋକଠାରେ ହିଂସା

କଦାଚିତେ କରି ନପାରଇ ବସା

।।

ଆଚାର ଥିବା ଲୋକ ବୋଲାଏଟି ସାଧୁ

ଆଚାର ବିରୋଧୀଟି ବୋଲାଏ ଅସାଧୁ

।।

ଅକ୍ରୋଧନ ଅହିଂସା ନିରହଙ୍କାରୀ ନର

ଠାରେ ଶିଷ୍ଟାଚାର କରିଅଛି ଘର

।।

କ୍ଷମା, ସତ୍ୟ, ଶୌଚ, ରୁଜୁ, ଚାରିକଥା

ଉତ୍ତମ ବୋଲି କହୁଅଛି ଧର୍ମ ପୋଥା

।।

ନ୍ୟାୟବନ୍ତ ହୋଇ ହରୁଥିବ ଦିନ

ମାଗିଲେ ଆସି ଦେଉଥିବ ଦୁଃଖୀଜନ

।।

କୁଟୁମ୍ୱକୁ ପୀଡ଼ା ଦେଇ ପରହିତ

ଯେ କରୁଛି ପ୍ରାନ୍ତେ ହୋଏ ସେ ମୁକତ

।।

ବ୍ରୋହ ନ କରିବ ଦେବ ସତ୍ୟ କହି

ଏଥିରୁଁ ସାଧୁ ହୋଇ ଆଉ କଥା ନାହିଁ

।।

ଯେଉଁମାନେ ମୋ ଠାରୁ ନିଅନ୍ତି ମାଂସ କିଣି

ସେମାନେ ମୋ ପାପରେ ହୁଅନ୍ତି ଭାଗୀ ପୁଣି

।।

କପଟୀ ଲୋକକୁଟି ସୁକୃତ କଦାଚିତେ

ତାରି ନ ପାରଇ ହେ ଜାଣ ମହାମତେ

।।

ପାପୀ ଲୋକ ବହୁତ ପୁଣ୍ୟ ଯେବେ କରେ

ତେବେଟି ଲେଖା ହୁଏ ଯାଇ ନିଷ୍ପାପରେ

।।

ଲୋକପୀଡ଼ା ନ କରି ଅରଜିବ ଧନ

ଏହା କଲେ ବୋଲାଏ ସେ ଉତ୍ତମ ଜନ

।।

ଦେହ ରଥ, ମନ ସାରଥି, ଇନ୍ଦ୍ରିୟ

ଅଶ୍ୱକୁ ଆୟତ୍ତରେ ରଖିଲେ ତପପ୍ରିୟ

।।

ଇହଲୋକ ପ୍ରତିକି ପର ଲୋକ ଶତେ

ଗୁଣ ସୁଖ ଲଭଇ ସେ ସତେ

।।

ଅଗ୍ନି, ଗୁରୁ, ଆତ୍ମା ଜନନୀ, ଜନକ

ଲୋକଙ୍କର ଏ ପାଞ୍ଚ ଗୁରୁରେ ଅଧିକ

।।

ବ୍ରାହ୍ମଣ ହୋଇ ଯେବେ ଅକର୍ମକୁ କରେ

ଶୁଦ୍ର ବୋଲି ତାହାକୁ ବୋଲନ୍ତି ସବୁ ନରେ

।।

ଶୂଦ୍ର ହୋଇ ଯେବେ ଉତ୍ତମ ଆଚାର

କରଇ ତାକୁ ସରି ନୁହଇ ଦ୍ୱିଜବର

।।

ଘରେ ଘରେ ସିନା ହୋଇବ ପିଟା ପିଟି

ଦାଣ୍ଡକୁ ବାହାରିଲେ ସେ ଆମ୍ଭେ ଏକାଟି

।।

ସ୍ୱର୍ଗରୁ ଚ୍ୟୁତ ହୋଇ ପଡ଼ଇ ଯେଉଁ ନର

ମର୍ତ୍ତରେ ଭୋଗ କରେ ହୋଇ ସେ ନରବର

।।

ସୁକୃତ କଲେ ପୁଣି ସ୍ୱର୍ଗ ଭୋଗ କରେ

ଦୁଷ୍କୃତ କଲେ ଯାଇ ପଡ଼ଇ ନରକରେ

।।

ଭୂମି କର୍ମ ସ୍ଥାନ, ସ୍ୱର୍ଗ ଭୋଗ ସ୍ଥାନ

ଚଉଦ ଭୁବନରେ ବିଖ୍ୟାତ ଏ ଜାଣ

।।

ଚକ୍ରଧାର ପରି ବୁଲୁଛି ସୁଖ ଦୁଃଖ

ଏଥି ପାଇଁ ତୁମ୍ଭେ ନୁହଟି ବିମୁଖ

।।

ଚିର କାଳ ଧର୍ମନିଷ୍ଠଟି ଯେଉଁ ଜନ

ନୁହନ୍ତିଟି ସେମାନେ କେଭେ ଅବସନ୍ନ

।।

ଧର୍ମ ଥିବା ପ୍ରାଣୀଙ୍କି ଦଇବ ହୋଇ ସାହା

ବଢ଼ାଉ ଥାଏ ସବୁ ବେଳରେ ଉତ୍ସାହା

।।

ବ୍ରହ୍ମା ରୂପେ ବିଷ୍ଣୁ ସଂସାର ସରଜନା

କରି ବିଷ୍ଣୁ ରୂପେ କରନ୍ତି ପାଳନା

।।

ରୁଦ୍ର ରୂପେ ପୁଣି ଦିଅନ୍ତି ସଂହାରି

ଏ ସଂସାରେ ଯେତେ ଥାଆନ୍ତି ଦେହଧାରୀ

।।

ଦଇବ ଯାହା କରିଥାଏ ସେ ହୁଅଇ

ତା ଆନ କରିବାକୁ କାହାର ଶକ୍ତି ନାହିଁ

।।

ସତ୍ୟ, ଅରଜବ, ଅହିଂସା, ସମ, ଦମ

ଅନସୂୟା, ଶୌଚ, ଇନ୍ଦ୍ରିୟ ସଂଯମ

।।

ଏମାନ ଥିବା ଲୋକ ଲଭଇ ସ୍ୱର୍ଗ ଗତି

ଜାଣ ଯୁଧିଷ୍ଠିର ରାଜନ ମହୀପତି

।।

ଶାସ୍ତ୍ରରେ କହିଛିତ ସାତ ପାଦ ଯାଏ

ଯେ ଯାହାର ସଙ୍ଗତେ ଗୋଡ଼ାଇଟି ଯାଏ

।।

ସେ ତାହାର ବୋଲାଉଛି ଧର୍ମ ମିତ୍ର

ଏଣୁ କିଛି କହିବି ଶୁଣ ଦେଇ ଚିତ୍ତ

।।

ଅଜ୍ଞାନବନ୍ତ ଲୋକେ ବନ ମଧ୍ୟେ ରହି

ନ ପାରନ୍ତି କରି ଧର୍ମ, ସତ୍ୟ ଦୁଇ

।।

ଜ୍ଞାନବନ୍ତ ଲୋକେ ରହିଲେ ବନରେ

ଧର୍ମ କରୁଥାନ୍ତି ବସି ସୁମନରେ

।।

ସାଧୁଙ୍କର ପାଶେ ଶରଣ ଅରକ୍ଷ

ଲୋକ ପଶିଲେ ସେ ହୁଅନ୍ତି ତା ରକ୍ଷ

।।

କୀର୍ତ୍ତି ରଖି ପ୍ରାଣ ଛାଡ଼ଇ ଯେଉଁ ନର

ତାହାରଟି ଜାଣ ଜୀବନୁଟି ସାର

।।

ଯୁଧିଷ୍ଠିର ବୋଇଲେ ପ୍ରବାସୀ, ସାଥି ମିତ୍ର

ଗୃହବାସୀ ଲୋକର ଭାରିଜା ତେମନ୍ତ

।।

ମରିବା ଲୋକଙ୍କର ଦାନ ଅଟେ ମିତ୍ର

ସେହି ରୂପେ ରୋଗୀର ବଇଦ ମିତ୍ର ତ

।।

ଯୁଧିଷ୍ଠିର ବୋଇଲେ ଦୟାଠାରୁ ବଳି

ପରମ ଧର୍ମ ନାହିଁ ଯକ୍ଷ ମହାବଳି

।।

ଯୁଧିଷ୍ଠିର ବୋଇଲେ ଛାଡ଼େ ଯେ ଅଭିମାନ

ସବୁଙ୍କରି ପ୍ରିୟ ସେ ଅଟଇ ଯକ୍ଷ ରାଣ

।।

କ୍ରୋଧକୁ ତ୍ୟାଗ କଲେ କଦାଚିତେ ଶୋକ

ଛୁଇଁ ନ ପାରଇ କାହାରି ଦେହ ଯାକ

।।

କାମକୁ ତ୍ୟାଗ କଲେ ଅର୍ଥବାନ ହୁଏ

ଲୋଭକୁ ତ୍ୟାଗ କଲେ ଜନ ସୁଖ ପାଏ

।।

ଯୁଧିଷ୍ଠିର ବୋଇଲେ ଯକ୍ଷରାଜ ଶୁଣ

କୁଳ ବେଦ ପାଠ ବା ବେଦାର୍ଥ ଗ୍ରହଣ

।।

କେହି ବ୍ରାହ୍ମଣତ୍ୱର କାରଣ ନୁହଇ

ଏକାହିଁ ଚରିତ୍ରଟି କାରଣ ଅଟଇ

।।

ଚରିତ୍ର ବ୍ରାହ୍ମଣର ଅମୂଲ୍ୟ ମହାବିତ୍ତ

ଚରିତ୍ର ହତ ହେଲେ ହୁଅଇ ତାର ହତ

।।

ମୂର୍ଖ ଅଟଇ ସେ ଯେ ଚରିତ୍ର ହୀନ

ପଣ୍ଡିତ ବୋଲାଏ ସେ ଯେହୁ କ୍ରିୟାବାନ

।।

ଚତୁର୍ବେଦୀ ହୋଇ ଚରିତ୍ରହୀନ ହେଲେ

ଶୂଦ୍ରରୁ ଅନ୍ୟ ବୋଲି ଗଣ୍ୟ ସେ ନୁହେ ଭଲେ

।।

ଯୁଧିଷ୍ଠିର ବୋଇଲେ ଯେ ଋଣୀ, ପ୍ରବାସୀ

ନୁହଇ, ଦିବସର ପଞ୍ଚମ ଭାଗେ ବସି

।।

ଶାକାନ୍ନ ପାକ କରି ଭୋଜନ କରଇ

ସେହି ଏକା ସୁଖୀ ହେ ଯକ୍ଷକୁଳସାଇଁ

।।

ସଂସାରେ ଦେଖୁ ଦେଖୁ ଲୋକଙ୍କ ମରଣ

ତଥାପି ଅମରତ୍ୱ ଇଚ୍ଛନ୍ତି ବାକି ଗଣ

।।

ଏଥିରୁ ଆଶ୍ଚର୍ଯ୍ୟଟି ଆଉ କି ଅଧିକ

ଅଛି ବିଚାର ହେ ପକ୍ଷଙ୍କ ତିଳକ

।।

ତର୍କର ତ ନିଶ୍ଚୟ ହୋଇ କଥା ନାହିଁ

ସ୍ମୃତି ତ ଭିନ୍ନ ଭିନ୍ନ ମତ ପ୍ରକାଶଇ

।।

ଏମନ୍ତ ଋଷି ନାହିଁ ଅଭ୍ରାନ୍ତ ଯା ମତ

ଏଥିରୁ ଜାଣ ଧର୍ମତତ୍ତ୍ୱ ଗୁହାସ୍ଥିତ

।।

ଏ ଘେନି ଜ୍ଞାନୀ ମହାଜନଙ୍କର ପଥ

ପ୍ରଶସ୍ତ ଅଟଇଟି ଯକ୍ଷକୁଳ ନାଥ

।।

ଉତ୍ତମ ଲୋକେ ଯୁଦ୍ଧ ଇଚ୍ଛା ନ କରନ୍ତି

ଦଇବରେ ପଡ଼ିଲେ ତା କେବେ ନ ଛାଡ଼ନ୍ତି

।।

ସୁଖ କାଳେ ଅଧିକ ଦାନ ବ୍ରତ କରି

ସେ ବଳେ ଦିଏ ସେ ଅଧର୍ମ ଦୂର କରି

।।

ସମ୍ପତ୍ତିରେ ଅଧର୍ମ କରି ପ୍ରାୟଶ୍ଚିତ୍ତ

ଯେ କରୁଛି ତାହାର ନୁହଇ କିଛି ହିତ

।।

ବିପତ୍ତି ଅଧର୍ମକୁ ନାଶିବାକୁ ଜନ

ସଂପତ୍ତିରେ କରିବ ବିତ୍ତକୁ ମୋଚନ

।।

ସୁକର୍ମେ ଥାଇ କରି ବିକର୍ମକୁ କଲେ

ନିନ୍ଦାକୁ ସେ ଯୋଗ୍ୟ ହୁଅଇଟି ଭଲେଁ

।।

ଯେଉଁ ରଜା ପର ଭୂମିରେ ଲୋଭ କରେ

ଯୁଦ୍ଧ ଗୋଡ଼ାଇଟି ଥାଏ ତା ସଙ୍ଗରେ

।।

ବାଳକ, ବୃଦ୍ଧ, ଯୁବା, ସାଧୁ ବା ଅସାଧୁ

କେହି ତରି ନାହାନ୍ତି ବିଧାତା ମାୟା ସିନ୍ଧୁ

।।

ମନ୍ଦ ଛାଡ଼ି ଭଲ କଥା ଯେ କରଇ

ପଣ୍ଡିତ ବୋଲି ତାକୁ ରାଜନଟି କହି

।।

କ୍ରୋଧ, ହର୍ଷ, ଗର୍ବ ଲଜ୍ଜାରୁ ଯେଉଁମାନେ

ନିବର୍ତ୍ତି ଥାନ୍ତି ତାଙ୍କୁ ପ୍ରଶଂସନ୍ତି ଜନେ

।।

ପୁଣ୍ୟ କଥା କଷ୍ଟ ପାଇ କରି, ଭ୍ରଷ୍ଟ

ନ କରେ ଯେ ତାକୁଟି ବୋଲନ୍ତି ନରଶ୍ରେଷ୍ଠ

।।

ଯାହାର ବୁଦ୍ଧି ଧର୍ମ ଅର୍ଥରେ ଥାଏ ରହି

ତାହାର ନିନ୍ଦାଭାଗ କେବେଟି ନୁହଇ

।।

ଯେ ଯାହା ଆରମ୍ଭଇ ସେ ଯେବେ କରେ ଶେଷ

ଭାଗ୍ୟବନ୍ତରେ ସେ ହୁଅଇ ପ୍ରକାଶ

।।

ବଳିଆର ଲୋକ ତୁଲରେ ଗୋଳ କଲେ

ନିଦ୍ରା ନ ମାଡ଼ଇ ରାଜନ ଜାଣ ଭଲେ

।।

କୁଟୁମ୍ବ ପୋଷିବାକୁ ଜଣେ ପାପ କରି

ଅରଜୁ ଥାଏ ଧନ କିଛି ନ ବିଚାରି

।।

ଖାଇବା ଲୋକର ନୁହଇ କିଛି ପାପ

ଅରଜୁଥିବା ଲୋକ ସେ ପାପେ ହୁଏ ଲୋପ

।।

କାର୍ଯ୍ୟ ନୋହୁଁ ବିଚାର ହୋଇଲେ ପ୍ରକାଶ

ରାଜ୍ୟ ତୁଲେ ରାଜା ଅବଶ୍ୟ ଯାଏ ନାଶ

।।

ଏକା ହୋଇ ସ୍ୱାଦୁ ପଦାର୍ଥ ନ ଖାଇବ

ଖାଇବ ଯେବେ ମହା ପାତକ ଅରଜିବ

।।

ନୁହଇଟି ଜଣକୁ ସମସ୍ତ ଗୋଚର

ଏକା ହୋଇ ଭାଳିଲେ ହୁଅଇ ମରିବାର

।।

ଏକା ହୋଇ ବାଟ ଚାଲେ ଯେ ନିଃଶଙ୍କେ

ତା ଭଲ ମନ୍ଦ ବାର୍ତ୍ତା ନ ପାଆନ୍ତି ଲୋକେ

।।

ଧର୍ମ, କ୍ଷମା, ବିଦ୍ୟା, ଅହିଂସା ଚାରୋଟି

ଏକା ହୋଇ ଯାଠାରେ ପ୍ରବର୍ତ୍ତି ଅଛନ୍ତି

।।

ତାହାରଟି ରାଜନ କଦାଚିତେ ଦୁଃଖ

କରାଇ ନ ପାରଇ ହୃଦକୁ ବିମୁଖ

।।

ଅଡ଼ାଏ ଭିଆଇ ଯେ ମୁଠାଏ ଦିଅଇ

ସ୍ୱର୍ଗ ତାର ସଙ୍ଗତେ ଥାଇଟି ଗୋଡ଼ାଇ

।।

ଉତ୍ତମ ମଧ୍ୟମ ଅଧମ ଏ ତିନୋଟି

ନ୍ୟାୟ ଏ ଜଗତରେ ପ୍ରବର୍ତ୍ତି ଅଛିଟି

।।

ଏହି ରୂପେ ତିନି ପ୍ରକାରେ ପୁରୁଷ

ଏ ଜଗତେ ହୋଇଛନ୍ତି ପରକାଶ

।।

ଉତ୍ତମକୁ ଉତ୍ତମ ମଧ୍ୟମକୁ ମଧ୍ୟମ

ଅଧମକୁ ଅଧମ କଥାରେ ନୃପୋତ୍ତମ

।।

ନିୟକତ କଲେ ହୁଅଇ କାର୍ଯ୍ୟ ସିଦ୍ଧି

ଏକଥା ମଧ୍ୟ ଜାଣ ନୀତିଶାସ୍ତ୍ର ବିଧି

।।

ପରଧନ ପରନାରୀ ଯେ ହରେ ରାୟେ

ଜାଣ ତାର ହୃଦୟେ ଭୟ ରହିଥାଏ

।।

ଅଳ୍ପ ବୁଦ୍ଧି, ମଠୁଆ, ଅଳସ ସ୍ତୁତିକାର

ଏ ଚାରିଙ୍କ ତୁଲେ ନ କରିବ ବିଚାର

।।

ଆରୋଗ୍ୟ, ଅରୁଣିତ୍ୱ, ନିର୍ଭୟେ ନିବାସ

ସାଧୁ ସଙ୍ଗ, ସ୍ୱାଧୀନ ଜୀବିକା, ଅପ୍ରବାସ

।।

ନରମାନଙ୍କର ଅଟଇ ଏ ସୁଖ

ଜାଣ ଆହେ ହସ୍ତୀନା ନରଙ୍କର ଶିଖ

।।

ଦ୍ୱେଷୀ, ଅସନ୍ତୁଷ୍ଟ, ନିତ୍ୟ ଶଙ୍କିତ, କ୍ରୋଧନ

ପରଭାଗ୍ୟ ଉପଜୀବୀ, ଘୃଣାଯୁକ୍ତ ଜନ

।।

ଏ ଲୋକଟି ମହତ ଦୁଃଖକୁ ପାଆନ୍ତି

ସଂଶୟ ନ କର ହେ ମୋ କଥାରେ ମତି

।।

ନିତ୍ୟ ଆୟ, ଅଧୀନ ପୁତ୍ର, ଆରୋପିତା

ଅର୍ଥକାରୀ ବିଦ୍ୟା, ପ୍ରିୟବାଦିନୀ ଯେ କାନ୍ତା

।।

ସେ ପ୍ରିୟକାରିଣୀଟି ଏ ଛଅ ପ୍ରାଣୀଙ୍କର

ଅଟଇଟି ରାଜନ ମହାସୁଖକର

।।

ଅସାବଧାନ ହୋଇ ଥାଆନ୍ତି ଯେତେ ଜନ

ଚୋରେଟି ତାଙ୍କଠାରୁ ସାରନ୍ତି ନେଇ ଧନ

।।

ଜୁଅ, ସ୍ତିରୀ, ମୃଗୟା, ଉଗ୍ର ଦଣ୍ଡ, ପାନ

ପରଧନ ହରଣ, ନିଷ୍ଠୁର ବଚନ

।।

ଏ ସାତୋଟି କଥା ରାଜା ଯେବେ କରେ

ବିନାଶ ଲଭଇଟି ଅଳପ କାଳରେ

।।

ମିତ୍ର ସମାଗମ, ପୁତ୍ର ଆଲିଙ୍ଗନ

ସମ୍ଭୋଗ, ପ୍ରିୟାଳାପ, ସଭାରେ ପୂଜନ

।।

ଧନାଗମ, କୁଳଶ୍ରେଷ୍ଠତା, ଇଷ୍ଟ ଲାଭ

ଏମାନ ଯାର ଅଛି ସେ ବଡ଼ ଦୁର୍ଲ୍ଲଭ

।।

ପ୍ରମତ୍ତ, ମତ୍ତ, ଶ୍ରାନ୍ତ, ଉନ୍ମତ୍ତ, ବୁଭୁକ୍ଷିତ

କ୍ରୁଦ୍ଧ, ତ୍ୱରାନ୍ୱିତ, ଲୁବ୍ଧ, କାମୀ, ଭୀତ

।।

ଏ ଦଶ ଜନ ଧର୍ମ ନ ଜାଣନ୍ତି କିଛି

ଅଧରମ ଯେତେକ ଲୋଡ଼ନ୍ତି ବାଛି ବାଛି

।।

ଲୋକମାନଙ୍କର ବିଶ୍ୱାସ ଯିବାର

ଉପାୟକୁ କରୁଥିବ ନିରନ୍ତର

।।

ଦୁର୍ବଳ ହୋଇଥିବା ଶତ୍ରୁଠାରେ ହେଳା

କଲେ କାଟଇଟି ସେ ପୁଣି ଆସି ଗଲା

।।

ଶତ୍ରୁ ଯେବେ ହୋଇଥିବ ବଳିଆର

ବଞ୍ଚାଉଥିବ ତାକୁ କଥାରେ ନିରନ୍ତର

।।

ବଳୀଆର ତୁଲେ ବିରୋଧ ଯେ କରେ

ଆଗ ହୋଇ ବସଇ ଯମଙ୍କ ନଗରେ

।।

କାଳରେ ପରାକ୍ରମ କରଇ ଯେଉଁ ନର

ଜୟଲକ୍ଷ୍ମୀ ବଳେ ହୁଁଅଇ ତାହାର

।।

ଦୁଃଖ ସହି ଉଦଯୋଗ ଯେ କରଇ

କାଳରେ ଶତ୍ରୁ ଜିଣି ବୋଲାଏ ସେ ବିଜୟୀ

।।

କାର୍ଯ୍ୟ ବିନା ଯେ ନର କରେ ପରବାସ

ନ ବସଇ ପାପୀ ଲୋକଙ୍କର ପାଶ

।।

ପର ସ୍ତିରୀମାନଙ୍କୁ ନ କରେ ଧରଷଣା

କପଟରେ ବୁଦ୍ଧି କରି ଥାଏ ଊଣା

।।

ମଦ୍ୟ ପାନ ଖତ ଚୋରୀ ଏ ତିନି କଥା

ପଡ଼ିଲେ ହୃଦେ ଘେନୁଥାଏ ମହା ବ୍ୟଥା

।।

ଏତେ ଗୁଣ ଥିବା ଲୋକ ଇହଲୋକେ

କଦାଚିତେ ରାଜନ ନ ପଡ଼ଇ ଶୋକେ

।।

ପଚାରିବାକୁ ଯେବେ ଡାକିବେ ସାକ୍ଷୀ କରି

ଯା ଜାଣି ଥିବ ତାହା କହିବ ସତ୍ୟ କରି

।।

ଅଳ୍ପ କଥା ପାଇଁ ଛାଡ଼ିବ ବିବାଦ

କଲେ ସେ ଘେନି ଆସି ପଡ଼ଇ ପ୍ରମାଦ

।।

ଯେଉଁ ଲୋକ ଉଦ୍ଧତ ହୋଇ ବେଗ ନୋହେ

ମୁଁ ବଡ଼ ବୋଲିକରି ଗରବ ନ ବହେ

।।

ନ କହଇ ବଚନରେ କରି କଟୁ

କହିଲେ ଶୁଭୁଥାଇ କର୍ଣ୍ଣକୁ ଅତି ଚାଟୁ

।।

ସେହିଟି ଜଗତରେ ସର୍ବ ଜନ ପ୍ରିୟ

ହୁଅଇ ହେ ଅମ୍ବିକା ଦେବୀଙ୍କ ତନୟ

।।

ସମାନ ଲୋକତୁଲେ ବିବାହ ସମ୍ବନ୍ଧ

ସଖ୍ୟ ଯେ କରୁଅଛି ସଦା ତାର ମୋଦ

।।

ଅଶ୍ରିତଙ୍କୁ ଦେଇ ଭୁଞ୍ଜିବ ଅଳପ

କ୍ଷଣେ ଶୋଇ ଛାଡ଼ିବ ଶୟନ ତଳପ

।।

ଶତ୍ରୁ ଲୋକ ମାଗିଲେ ନିର୍ମଳ କରି ଧନ

ଗଣି ଦେଉଥିବ ନୋହିଣ ବିମନ

।।

ଏ ରୁପେ ଯେଉଁଲୋକ ଏ ସଂସାରେ ଅଛି

ବିପତ୍ତି ତାହାକୁଟି ଗ୍ରାସି ନ ପାରୁଛି

।।

ଉତ୍ତମ ଲୋକେ ଯାହା କହୁ ଥିବେ ବସି

ତାହା ଶୁଣି ମନେ ରଖୁଥିବ ଘୋଷି

।।

ଗାଈଙ୍କର ଆଘ୍ରାଣ, ଦ୍ୱିଜଙ୍କର ଶାସ୍ତ୍ର

ନୃପଙ୍କର ଚାର, ଜନଙ୍କର ନେତ୍ର

।।

ଜ୍ଞାନ ହୋଇବାକୁ ଏ ଅଟଇ କାରଣ

ଜାଣ ଆହେ ଗାନ୍ଧାରୀ ଦେବୀଙ୍କ ରମଣ

।।

ବଳୀଆର ଲୋକର ଧରେ ଯେ ବରଣ

ଇନ୍ଦ୍ରଙ୍କୁ ନମସ୍କାର କଲା ପରି ଜାଣ

।।

ପରଦ୍ରବ୍ୟ ପର ସୌନ୍ଦର୍ଯ୍ୟକୁ ଦେଖି

ଯେଉଁ ନରମାନେ ହେଉଥାନ୍ତି ଦୁଃଖୀ

।।

ତାହାଙ୍କ ଦେହରେଟି ମହାବ୍ୟାଧି ଘଟି

ଆଗକରି ବୁଜାଇ ଦିଅଇ ଦୁଇ ପାଟି

।।

ବିଦ୍ୟାମଦ, ଧନମଦ, କୁଳମଦ

ଯେ ପିଇଛି ତାକୁଟି ପଡ଼ଇ ପ୍ରମାଦ

।।

ଇନ୍ଦ୍ରିୟ-ଘୋଡ଼ା, ଦେହ-ରଥରେ ମାନସ

ସାରଥି ବାହୁଥିଲେ ନ ଲାଗଇ ତ୍ରାସ

।।

ମନକୁ ନ ଜିଣି ଯେ ଶତ୍ରୁକୁ ଜିଣିମା

ଇଚ୍ଛା କରେ ସେ ଜାଣ ପାଏ ଦୁଃଖ ସୀମା

।।

ଧର୍ମ ଅର୍ଥ ଛାଡ଼ି ଯେ ଇନ୍ଦ୍ରିୟ ବଶ ହୁଏ

ସଂପତ୍ତି ଛାଡ଼ି ପ୍ରାଣ ହରାଏଟି ସିଏ

।।

ଧର୍ମ ଅର୍ଥ ଦୁହିଁଙ୍କି ଚାହିଁ ଯେ କାର୍ଯ୍ୟ କରେ

ସେ କଦାଚିତେ ଜାଣ ନ ପଡ଼େ ବିପତ୍ତିରେ

।।

ଅସାଧୁ ଲୋକ ତୁଲେ ସାଧୁ ଲୋକ ଯାଇ

ବସିଲେ ରାଜନ ହେ ବିନାଶ ଲଭଇ

।।

ଓଦା କାଷ୍ଠ ଶୁଖିଲା କାଷ୍ଠରେ ମିଶାଇଲେ

ଜଳି ତ ଯାଉଅଛି ଦେଖୁ ଥାଇଁ ଭଲେ

।।

ଏ ସକାଶୁଁ ସାଧୁଲୋକ ଯେ ହୋଇବ

ଅସାଧୁ ଲୋକ ସଙ୍ଗ ସ୍ୱପନେ ନ କରିବ

।।

ଅନୁସୂୟା, ଦମ, ଶଉଚ, ଅର୍ଜବ

ଅସାଧୁକୁ ଛାଡ଼ି ଥାନ୍ତିଟି ନରଦେବ

।।

ଦୁର୍ଜନ ଲୋକଠାରେ ସ୍ୱକୃତ ବଚନ

ଦାନ ଆତ୍ମାଜ୍ଞାନ ନ କରନ୍ତି ସ୍ଥାନ

।।

କାର୍ଯ୍ୟକୁ ଅନୁରୂପ ବଚନ ଯାହାର

ବାହାରୁଛି ଦୁଃଖଟି ନୁହଇ ତାହାର

।।

ସବୁ ତୀର୍ଥମାନଙ୍କରେ ବୁଲି ସ୍ନାନ

କରିବା ପ୍ରତିକି ନିଷ୍କପଟ ଭଲ ଜାଣ

।।

ବୋଇତ ବଣିକାର, ଜୂଆର ଯେ ଚୋର

ବୈଦ୍ୟ, ଶତ୍ରୁ, ମିତ୍ର, ନାଟୁଆ ଆଦି ନଇ

।।

ମାନଙ୍କୁ ଗୋଳ ହେଲେ ନ କରିବ ସାକ୍ଷୀ

ଅବଶ୍ୟ ସେ କଥା କହନ୍ତି ପଟରଖି

।।

ଦିନୁଟି ଭିତରେ ଯେ ଛିଣ୍ଡାଇ ଥାଏ କାର୍ଯ୍ୟ

ରାତିଟି ସୁଖରେ ସେ ଶୁଅଇ ମହାରାଜ

।।

ଆଜନ୍ମରୁ ଜୀବନ ଥିବା ଯାଏ ଲୋକ

ଜଗି ଥିବ ପର ଲୋକ କଥାଯାକ

।।

ପର ଯେବେ ବୋଲିବ ନିଷ୍ଠୁର ବଚନ

ତେବେ କିଛି ନ ବୋଲି ହୋଇବ ମଉନ

।।

କହିବା ଅପେକ୍ଷାରେ ନ କହିବା ଭଲ

କହିଲେ ସତ୍ୟ ଧର୍ମ ଥିବ ସେ ବାଣୀତୁଲ

।।

ଦୁଃଖ ସୁଖ, ଜନମ, ମରଣ, କ୍ଷୟ ବୃଦ୍ଧି

ଏମାନ ଲାଗିଛି ତ ସଭିଙ୍କି ଅବଧି

।।

ଆତ୍ମଜ୍ଞାନ, ଇନ୍ଦ୍ରିୟ ନିଗ୍ରହ, ଲୋଭ ତ୍ୟାଗ

କର ନୃପ ପାଇବ ତୁମ୍ଭେ ସୁଖ ଭାଗ

।।

ଧନ ଥାଇ ଭୋଗକୁ ଯା ଦେହ ଭଜି ନାହିଁ

ସବୁ ଗୁଣ ଯାକର ଆକର ଅଟେ ସେହି

।।

ରୋଗିମାନେ ଧନ ପାଇଲେ ହେଲେ ଦୁଃଖ

ପାଉଥାନ୍ତି ସ୍ୱପନେ ନ ଦେଖନ୍ତି ସୁଖ

।।

ଅସାଧୁ ସେବା ଚରିତ୍ର, କ୍ରୋଧ ଶ୍ରୀ ନାଶଇ

ଏକା ଅଭିମାନ ସବୁ ବିଲୋପ କରଇ

।।

ବିପତ୍ତି ଦେବ ବୋଲି ରଖୁଥିବ ଧନ

ଧନ ଦେଇ ଭାରିଯା କରିବ ରକ୍ଷଣ

।।

ଜାଣିବା ଲୋକମାନେ ପରିହାସେ ଜୂଅ

ଖେଳିବାକୁ ରାଜନ ନ କରନ୍ତି ପ୍ରିୟ

।।

ଅଗର୍ବୀ, ଦୟାବନ୍ତ, ଅରୋଗୀ, ପରିଚ୍ଛନ୍ନ

ଅଲାଞ୍ଚୁଆ, ଉତ୍ସାହୀ, ବାକ୍‌ପଟୁ, କୁଳୀନ

।।

ଏତେ ଗୁଣ ଥିବା ଲୋକ ଭୃତ୍ୟ ହେଲେ

ଉତ୍ତମ କାର୍ଯ୍ୟ ରାୟେ ହୁଅଇଟି ଭଲେ

।।

ବାହୁବଳ, ମିତ୍ରବଳ, ଧନବଳ

ଆପଣା ଅଭିଜାତବଳ, ପ୍ରଜ୍ଞାବଳ

।।

ଏ ପାଞ୍ଚେ ଯାହା ଦେହେ ନିପୁଣ ହୋଇଥାନ୍ତି

ତାହାକୁଟି କେହି ବାଧି ନ ପାରନ୍ତି

।।

ସ୍ତିରୀ, ରଜା, ଶତ୍ରୁ, ସର୍ପ, ବେଦସେବୀ

ଜନଙ୍କୁ ଆପଣାର ବୋଲିଟି ନ ଭାବି

।।

ଅକ୍ରୋଧନ ହୋଇ ଯେ ନେଉଥିବ ଦିନ

କରିଥିବ ଟେକା ସୁନାରେ ସମଜ୍ଞାନ

।।

ଶୋକ ଛାଡ଼ି ନିନ୍ଦା ସ୍ତୁତିକି ନ ଘେନିବ

ପ୍ରିୟ ଅପ୍ରିୟରେ ଉଦାସୀନ ହେବ

।।

ଏ ରୂପେ ଯେଉଁ ଲୋକ ଅଛି ନରରାୟେ

ଭିକ୍ଷୁକ ବୋଲି ତାକୁ ବୋଲନ୍ତି ସଭିଁଏ

।।

ବୁଦ୍ଧିମନ୍ତ ଲୋକର ଅପକାର କରି

ନିଶ୍ଚିନ୍ତ ହେଲେ ନୃପ ଅବଶ୍ୟଟି ମରି

।।

ବୁଦ୍ଧିମନ୍ତ ଲୋକ ବ୍ୟଗ୍ରତା ଉପେକ୍ଷି

ଯତ୍ନ କଲେ ଫଳ ଲଭି ହୁଏ ସୁଖୀ

।।

ଅବିଶ୍ୱାସୀ ଲୋକକୁ ବିଶ୍ୱାସ କଲେ ନର

ସମୂଳେ ହୋଇଜାଣ ନାଶ ହୁଏ ତାର

।।

ଇରିଷା ନ କରିବ, ହୋଇବ ମୁକ୍ତ ଦ୍ୱାର

କହିବ ପ୍ରିୟ ବଶ ନୋହିବ ସ୍ତିରିଙ୍କର

।।

ପିତାଙ୍କୁ ଅନ୍ତଃପୁର ମାତାଙ୍କୁ ହାଣ୍ଡିଶାଳ

ଦେଇ ଚାଷ ଦେଖିବ ଯେ ହେବ କୁଶଳ

।।

ବନ ପର୍ବତରେ ଏକାନ୍ତ ମନ୍ଦିରରେ

ଭାବିବ ରାଜାବସି ମନ୍ତ୍ରୀଙ୍କ ସଙ୍ଗତରେ

।।

ଲୋକର ଭଲମନ୍ଦ ବରଷ ପାଞ୍ଚିବୁଝି

ତେବେ ତାକୁ କହିବ ବସାଇ ସଭାମଝି

।।

ବିଦ୍ୟାବୃଦ୍ଧ, ବୟୋବୃଦ୍ଧ, ଧନବୃଦ୍ଧ

ଲୋକଙ୍କୁ ନିନ୍ଦା କରୁଥାନ୍ତି, ମୂର୍ଖବୃଦ୍ଧ

।।

ସମୟ ନ ବିଚାରି ଦେଉଥିବ ଦାନ

ସାଧୁମାର୍ଗେ ଥାଇ କହିବ ବଚନ

।।

ଧୃତି, ଶମ, ଦମ, ଶଉଚ, କାରୁଣ୍ୟ

ଅନିଷ୍ଠୁର ବଚନ ସମ୍ପତ୍ତି କାରଣ

।।

କୃତଘ୍ନ, ଦୁଷ୍ଟଆତ୍ମା, ନିର୍ଲ୍ଲଜ୍ଜ ଲୋକକୁ

ଛାଡ଼ିଦେବ ନ କହି ପ୍ରଥମୁ କଥାକୁ

।।

ଯାହାକୁ ବେଶ୍ୟା ସ୍ତିରୀ, ନାଟୁଆ, ଜୁଆର

ପ୍ରଶଂସନ୍ତି ଜାଣ ବ୍ୟର୍ଥ ତା ଶରୀର

।।

ନୀଚପ୍ରୀତି ଅଳପକେ ନାଶ ଯାଏ

ଉଚ୍ଚଲୋକ ପ୍ରୀତିଟି ବହୁତ କାଳଥାଏ

।।

ଦରିଦ୍ର ଜ୍ଞାତିକି ଯେ କରଇ ଅନୁଗ୍ରହ

ତାହାର ସୁକୃତଟି ଅଟଇ ଅକହ

।।

ଦୁଷ୍ଟ ମନ୍ତ୍ରୀଠାରେ ମନ୍ତ୍ର ଯେ ଭାଳଇ

ଜାଣି ଜାଣି ନାଶକୁ ଲୋଡ଼ିଣ ଆଣଇଁ

।।

ଶାସ୍ତ୍ର ଜାଣି ବୁଢ଼ା ଜନଙ୍କୁ ଯେ ସେବେ

ପଡ଼ିଲେ କାର୍ଯ୍ୟକୁ ସେ ତୁଲାଇ ନିଏ ଭାବେ

।।

ବରଷ ଯାଏ ବୁଝି ଲୋକର ଆଚରଣ

ପଛେ କରିବ ହେ ମଇତ୍ର ନରଗଣ

।।

ବିନୟ, ପରାକ୍ରମ, କ୍ଷମା, ଆଚରଣ

ଅକୀର୍ତ୍ତି, ଅନରଥ, କ୍ରୋଧ, ଅଲକ୍ଷଣ

।।

ସେ ଚାରିହେଁ ଏ ଚାରିଙ୍କର ବିନାଶକୁ

ବିଧାତା କରିଅଛି ଆଣହେ ମନକୁ

।।

ଗର୍ବିତ, ମୂର୍ଖ, ଅଧର୍ମୀ ତୁଲେ ମଇତ୍ର

କେବେ ନ କରିବ ସେ ହେଲେ ରାଜପୁତ୍ର

।।

ଧାର୍ମିକ ଲୋକ ତୁଲେ ମଇତ୍ରତା କଲେ

ଧରମଟି ତହୁଁ ଉପୁଜୟି ଭଲେ

।।

ପ୍ରଭୁ ହେବା ଲୋକ ନ ହେଲେ କ୍ଷମାକର

ତାହାକୁଟି ଲକ୍ଷ୍ମୀ ଯାଆନ୍ତି କରି ଦୂର

।।

ସଳଖ ବୁଦ୍ଧି ଲୋକଠାରେ ବଙ୍କା ବୁଦ୍ଧି

ନରେ ଦୁଷ୍ଟ କଥା କରନ୍ତି ଅବଧି

।।

ଅତିଦାତା, ଅତିଶୂର, ଅତିବ୍ରତ

ଏମାନଙ୍କ ଲକ୍ଷ୍ମୀଟି ହୁଅଇ ଜାଣ ହତ

।।

ବୁଦ୍ଧିମନ୍ତ ଲୋକର କାହ୍ନାଠାରେ ଶଙ୍କା

ନ ଉପୁଜେ ଆଗୁଁତ ଛାଡ଼ି ସେ ଥାଏ ଦକା

।।

ଫଳ, ଜଳ, ମୂଳ, କ୍ଷୀର, ଆଉଷଧ

କରି ନ ପାରନ୍ତି ଏ ନୃପତି ବ୍ରତବାଧ

।।

ପୁଣ୍ୟ, ପାପ ବିନା ଧନ ଦେହ ଦୁଇ

କାହାର ରହିନାହିଁ, ଆହେ ନରସାଇଁ

।।

ଆତ୍ମା-ନଦୀ, ସତ୍ୟ-ଜଳ, ପୁଣ୍ୟ-ତୀର୍ଥ

ଏଥିରେ ସ୍ନାନ କର ହୋଇବ କୃତାର୍ଥ

।।

ବେଦ ପଢ଼ି ପ୍ରବୃତ୍ତି ମାର୍ଗକୁ ଛାଡ଼ି କରି

ନିବୃତ୍ତି ମାର୍ଗ କଲେ ଯାଆନ୍ତି ସେ ତରି

।।

ସବୁ ଲୋକକୁ ଯେ ସମାନ ଦେଖେ ରାୟେ

ସର୍ବଦରଶୀଟି ସେ ଜଗତେ ବୋଲାଏ

।।

ବ୍ରହ୍ମଚର୍ଯ୍ୟ କରିବାରୁଟି ବ୍ରାହ୍ମଣେ

ଋଷି ବୋଲି ସବୁରି ବତନ ବଖାଣେ

।।

ବ୍ରହ୍ମଚର୍ଯ୍ୟରଟି ଏ ଅଟେ ଗୁଣ ରାୟେ

ଯେ ଯାହା ଭାବି କରେ ସେ ସେହି କଥା ପାଏ

।।

ବ୍ରହ୍ମାଣ୍ଡ ସରଜନା କାଳରେ ଅମୃତ

ଜନମି, ଜାତ କଲା ପଞ୍ଚ ମହାଭୂତ

।।

ପଞ୍ଚମହାଭୂତେ ଦେହକୁ ଜାତ କଲେ

ତହିଁ ଜୀବ ପରମ ଆତ୍ମାଟି ରହିଲେ

।।

ଯେ ଯାହାଠାରୁ ଜନ୍ମ ସେ ତାହାଠାରେ ଲୀନ

ହୋଇ ବ୍ରହ୍ମାଠାରେ ମିଶୁଛନ୍ତି ଜାଣ

।।

ସବୁ ପ୍ରାଣୀ ଆତ୍ମାକୁ ଏକ ଯେ ମଣେ ରାୟେ

ଶୋକ ଦୁଃଖ ତାହାର ନ ରହେ ହୃଦୟେ

।।

ତୁମ୍ଭମାନଙ୍କର ପିତା-ପୁତ୍ର ମୁହିଁ (ବ୍ରହ୍ମ)

ଏ ଜଗତ ଯାକର ଆତ୍ମା ମୁଁ ଅଟଇଁ

।।

ମୋ ଆତ୍ମାରେ ତୁମ୍ଭେମାନେ ମଧ୍ୟ ଅଛ

ସତଟି ଏ ଅମ୍ବିକା ଦେବୀଙ୍କର ବତ୍ସ

।।

ତୁମ୍ଭର ମୁଁ ନୁହଇ ତୁମ୍ଭେ ମୋର ନୁହ

ଏଥିରେ କିଛି ରାୟେ ନ ଘେନ ହେ ମୋହ

।।

ଆତ୍ମା ମୋହରଟି ଅଟଇ ଜନ୍ମସ୍ଥାନ

ଆତ୍ମା ଜାଣ ସବୁ ଲୋକର ଜନନ

।।

ଅଣୁରୁ ଅଣୁଟିଏ ଅଟଇ ଆତମା

କେ ଜାଣି ପାରିବ ସେ ଆତ୍ମାର ମହିମା

।।

କାମ, ଲୋଭ, ମୋହ, ମନ୍ୟୁ, ନିଦ୍ରା, ଇର୍ଷା

ଦମବନ୍ତ ହେଲେଟି ନ କରନ୍ତି ବସା

।।

ଦମବନ୍ତ ଲୋକ ଇହପର ଦୁଇ

ଜିଣଇଟି ଏଥିରେ ସନ୍ଦେହ କିଛି ନାହିଁ

।।

ପ୍ରାଣିଙ୍କର ହୁଅଇ ଯାହା ଘେନି ଭୟ

ତାହାରଟି ଲୋକରେ ନୁହଇ ଉଦୟ

।।

ସମୁଦ୍ର ପରି ଗଭୀରତା ଗୁଣ ବହି

ସବୁ ପ୍ରାଣିଙ୍କର ହିତେ ଯେ ଥାଏ ରହି

।।

ସାଧୁ ଲୋକ ମାର୍ଗକୁ ଆଚରୁଥାଏ ନିତି

ତାକୁ ବିହିଦେଇ ନ ପାରେ ବିପତ୍ତି

।।

ଜ୍ଞାନତୃପ୍ତ ଲୋକ ବିଷୟ ଛାଡ଼ିଦେଇ

ଭଜିଲେ ବ୍ରହ୍ମକୁ ସେ ବ୍ରହ୍ମଙ୍କୁ ପାଏ ଯାଇଁ

।।

ଆକାଶେ ପକ୍ଷି ମାର୍ଗ ନୋହିଲା ପରି ଜଣା

ଜ୍ଞାନିଲୋକ ମାର୍ଗଟି ହୁଅଇ ଅଜଣା

।।

ଯେଉଁ ଲୋକ ମୋକ୍ଷକୁ କରଇ ସୀଉକାର

ପୁଅ, ଭାର୍ଯ୍ୟାଠାରେ ନ କରେ ସେ ଆଦର

।।

କୁଳେ ଜାତ ହେବା ଲୋକର ହେଲେ ଲୋଭ

ଜ୍ଞାନ ତାକୁ କୃଷ୍ଣ ହୁଅଇ ଦୁର୍ଲ୍ଲଭ

।।

ଜ୍ଞାନ ନୋହିବାକୁ ଲଜ୍ଜା ମଧ୍ୟ ଯାଏ

ଲଜ୍ଜା ନ ଥିବାରୁ ଧର୍ମ ଶ୍ରୀ କ୍ଷୟ ହୁଏ

।।

ଧର୍ମ ଶ୍ରୀ ହତ ହେବା ଲୋକକୁ ଦଇବତ

ମାନେ ଛାଡ଼ନ୍ତିଟି କରି ଦୁଃଖ ଚିତ୍ତ

।।

ମରଣ ଅପେକ୍ଷାରେ ନିର୍ଧନ ଅଟେ ବଡ଼

ଯାହା ଘେନି ନିତି ଭାଜଇ ଦୁଃଖେ ହାଡ଼

।।

ଦରିଦ୍ର ହେବା ଲୋକ ପେଟେ ଖାଇ ଦେଇ

ଲୋକଙ୍କୁ ଦେଖିଲେ ସେ ମାଗଇ ପୁଣି ଯାଇ

।।

ଧନ ଥିବା ଲୋକେ ଏ ରୂପେ ନୁହନ୍ତି

ଯେତେ ତେତେ ଖାଇଲେ ତୃପତି ହୁଅନ୍ତି

।।

ଧନବୃନ୍ତ ଲୋକେ ପାରନ୍ତି ଧର୍ମ ଅର୍ଜି

ଅଧନବନ୍ତେ ତାହା ଥାଆନ୍ତି ବରଜି

।।

ଧନ ଗଲେ ଧର୍ମ, ଅର୍ଥ, କାମ ଯାଏ

ଆହେ କୃଷ୍ଣ କିସ କହିବି ଗୁଡ଼ାଏ

।।

ଦ୍ରବ୍ୟ ପାଇଁ ଲୋକେ ଶତ୍ରୁଠାରେ ରହି

ଦିନ ନେଉଛନ୍ତି ଲକସ୍ତକ ହୋଇ

।।

ଜନ୍ମରୁ ଦୁଃଖୀ ହୋଇ ଅଛି ଯା ଶରୀର

ପଡ଼ିଲେ ଦୁଃଖ ମଣୁଥାଏଟି ସେ ଛାର

।।

ସୁଖୀ ଲୋକ ଯେବେ ଦୁଃଖକୁ ଲଭଇ

ତେବେ ସେ ମରଣରେ ସେ କଥା ଗଣଇ

।।

ଆପଣା ଅପରାଧେ ପାଇ ଲୋକ ଦୁଃଖ

ବୋଲଇ ଦୁଃଖ ଦେଲେ ଦଇବ ମୁରୁଖ

।।

ଲଜ୍ଜା ଯାର ନାହିଁ ସେ ସ୍ତିରୀ ପୁରୁଷରେ

ଲେଖା ନହଇ ହେ କୃଷ୍ଣ ସେ ଦୋଷରେ

।।

ଲଜ୍ଜାହୀନ ଲୋକର ଧର୍ମ୍ମରେ ଅଧିକାର

ନୁହଇ କଦାଁଚିତେ ଜାଣ ହେ ଯଦୁବୀର

।।

ଲଜ୍ଜାବନ୍ତ ଲୋକଟି ଧର୍ମକୁ ମାନନ୍ତି

ସେ ଘେନି ପୂଣ୍ୟ ଲୋକେ ତା ହୁଏ ଉପସ୍ଥିତି

।।

ଯେଉଁ ଲୋକ ଲୋକକୁ କରଇ ଉତ୍ସନ୍ନ

ଜୀବନ ଥିଲେ ତାର ନ ଥିଲା ପରି ଜାଣ

।।

କ୍ଷତ୍ରିୟ ଯୁଦ୍ଧେ ମଲେ ଲଭଇ ସ୍ୱର୍ଗ ସ୍ଥାନ

ଜିଣିଲେ ମହୀ ସୁଖେ ହୁଅଇ ଭୋଗ ଜାଣ

।।

ସାପ, ବାଘ, ଭାଲୁଙ୍କୁ କରଇ ଯେ ନାଶ

ତାହାର କି ଊଣା ହୋଇଛି ଆୟୁ, ଯଶ

।।

ମନୁଷ୍ୟ ବିଚାରିବା କଥାକୁ ବିହି-ବାତ

ଉଡ଼ାଇ ଘେନିଯାଏ ଯେଣିକି ହୁଏ ଚିତ୍ତ

।।

ପୌରୁଷ ବଳେ ଯେଉଁ କର୍ମ ହୋଇଥାଏ

ଦଇବ ବଳେ ପୁଣି ସେହି ନାଶ ଯାଏ

।।

ଶୀତ, ଉଷ୍ଣ, ବରଷା ଦଇବର କୃତ୍ୟ

ଦେଖୁଥାଇ ହେଉଛି ପୁରୁଷ କର୍ମେ ହତ

।।

ପଉରୁଷ, ଦଇବ ଦୁଇଯାକ ମିଶି

ଯେଉଁ କଥା ହୁଅଇ ସେ ହୁଏ ଅବିନାଶୀ

।।

ସଚ୍ଚରିତ୍ର ହେଲେ ସିନା ଲୋକ ଶ୍ରେଷ୍ଠ

ବୋଲାଏ ଆଉ କଥା ମାନ ସବୁ ଭ୍ରଷ୍ଟ

।।

ଭାଇ, ପୁତ୍ର, ମିତ୍ର, ଜ୍ଞାତି, ବନ୍ଧୁ-ଶ୍ରେୟ

ବିଚାରିଲେ ପାଇବ ମହତ ଉଦୟ

।।

ଆପଣା ମତ ଛାଡ଼ି ପରମତ ହିତ

ହେଲେ ତାହା କରିବ ଯେ ହେବ ପଣ୍ଡିତ

।।

ସାଧୁ ଲୋକ ମତ ଯେ, ଅତିକ୍ରମ କରେ

ତା କଥା ଲେଖା ହୁଏଟି ବୃଥା ଶ୍ରମରେ

।।

କାମ, କ୍ରୋଧ, ଲୋଭ ଦର୍ପ ଯେ ଜିଣିଛି

ମହା ସୁଖ ପାଇ ମହୀକି ସେ ଭୁଞ୍ଜୁଛି

।।

ସୁହୃଦମାନଙ୍କର ଶିକ୍ଷାରେ ଯେ ନ ରହେ

ଶତ୍ରୁ ଘର ସଂପତ୍ତି ବୃଦ୍ଧି କରି ଥାଏ

।।

ଲୋଭ କଲା ଲୋକ ନ ପାଇ ସଂପତ୍ତି

ଇଚ୍ଛା ସୁଖେ ଲୋଡ଼ି ଆଣଇ ବିପତ୍ତି

।।

ଦାନ, ତପ, ବିଦ୍ୟା, ଶଉର୍ଯ୍ୟରେ ଖ୍ୟାତ

ଯେ ନୋହେ ପୁତ୍ର ହେଲେ ବୋଲାଏ ସେ ମୂତ୍ର

।।

ଯୁଦ୍ଧ କଲା ଲୋକକୁ ସ୍ୱର୍ଗଦ୍ୱାର ବାଟ

ଫିଟି ଥାଏ ତା ପାଇଁ ନ ପଡ଼ି କବାଟ

।।

ଯାହାର ଅନ୍ନ ଖାଇ ତାହାର ମନ୍ଦ କାଳ

ଜାଣି ଛାଡ଼ି ଗଲେ ଛାଡ଼ଇ ପଦ୍ମ-ବାଳ

।।

ଶୁଭ ଅଶୁଭରେ ଈଶ୍ୱର କାରଣ

କାଠ କୁଣ୍ଢାଇଟି ପୁରୁଷ ନରରାଣ

।।

ନ ପଳାଇବା ଲୋକ ପାଞ୍ଚକୁ ପଞ୍ଚାଣ

ଜିଣିନ ପାରଁନ୍ତି ଆହେ ନରଈଶ

।।

ଏକା ସିଂହ ଗୋଟିକୁ ବିଲୁଆ କୋଟି କୋଟି

ଗୋଟି ହେଲେ ନେଇ ନ ପାରନ୍ତି ପ୍ରାଣୁଟି

।।

ସିଂହ ପରା ଜନ୍ତୁ ଅଜାଗରୂକ ହେଲେ

ବିଲୁଆ ପ୍ରାଣ ନିଏ ଦେଖ, ଥାଇଁ ଭଲେ

।।

ସତ୍ୟ ବୋଲି କରି ଆତ୍ମାକୁଟି କହି

ବିଚାରିଲେ ଅଭାବ ତାହାର କେବେ ନାହିଁ

।।

ମୁଁ ମାଇଲି ମତେ ମାଇଲା ଯେ ବୋଲଇ

Unknown

ତା ଠାରୁ ନ ଜାଣିମା ଲୋକ ଆଉ ନାହିଁ

।।

ଆତ୍ମାକୁ ମାରିବାକୁ ନାହାନ୍ତି କାହିଁ ନର

ସବୁକାଳେ ଆତ୍ମାତ ଅଟଇ ଅମର

।।

ପୁରୁଣା ଛାଡ଼ି ନୁଆ ପିନ୍ଧିବା ପରାୟେ

ଆତମାଟି ଯାଇ ନୂଆ ଦେହ ପାଏ

।।

ଜନମିଲେ ମୃତ୍ୟୁ, ମୃତ୍ୟୁ ହେଲେ ଜନ୍ମ

ହେଉଛି ତ ଅବଶ୍ୟ ଏ ସଂସାର କର୍ମ

।।

ପ୍ରକୃତିର ଦେହ ତ ହୋଇ କରି ଜାତ

କେତେ କାଳ ମହୀରେ ହୁଅଇ ବ୍ୟକତ

।।

ପୁଣି ପ୍ରକୃତିରେ ସେ ଲୀନକୁ ଭଜଇ

ତହିଁକି ଦୁଃଖ କରିବାର ନ ଯୋଗାଇ

।।

ଆଶକ୍ତି ସକାଶରୁ କାମ ହୋଏ ଜାତଁ

କାମରୁ କ୍ରୋଧ ପୁଣି ହୁଅଇ ସମ୍ଭୂତ

।।

କ୍ରୋଧରୁ ମୋହ ହୁଏ ମୋହରୁ ସ୍ମୃତି ଭ୍ରଂଶ

ସ୍ମୃତି ଭ୍ରଂଶରୁଟିହୁଅଇ ବୁଦ୍ଧି ନାଶ

।।

ବୁଦ୍ଧି ନାଶ ଗଲେ ମଲା ପରି ହୋଇ

ରହଇଟି ଜାଣ ସେ ଏ ମହୀରେ ଜୀଇଁ

।।

ପରଧର୍ମ ପ୍ରତିକି ଆପଣା ଧରମ

ନିଉନ ହେଲେ ମଧ୍ୟ ଅଟଇ ଉତ୍ତମ

।।

ସ୍ୱଧର୍ମରେ ମରଣ ଅଟଇଟି ଶ୍ରେୟ

ପରଧର୍ମେ ପାଏ ନରକ ଆଶ୍ରୟ

।।

ଆସକ୍ତ ହୋଇ କରି କର୍ମକୁ ଯେ କରେ

ନ ପଡ଼ଇ କେବେ ସଂସାର ବନ୍ଧନରେ

।।

ଅଜ, ଅବିନାଶୀ, ଈଶ୍ୱର ମୁଁ (ଶ୍ରୀକୃଷ୍ଣ) ଅଟେ

ମୋ ମାୟାରେ ମୁହିଁ ମହୀରେ ପରକଟେ

।।

ଯେବେ ଧର୍ମ ଯାଇ ଅଧର୍ମ ପ୍ରବର୍ତ୍ତଇ

ତେବେଟି ମୁଁ ଆସି ମହୀରେ ଜନମଇଁ

।।

ସାଧୁ ପରିତ୍ରାଣ ଦୁଷ୍ଟର ସଂହାରଣ

କରଇ ଧର୍ମ ସ୍ଥାପି ପ୍ରତି ଯୁଗେ ଜାଣ

।।

ନିଷ୍କାମ ହୋଇ ଜ୍ଞାନ ଆଦିରେ ୟକତ

ହୋଇ ବିଷ୍ଣୁ କର୍ମରେ ଦେଇ ଯେ ଥାଏ ଚିତ୍ତ

।।

ତାହାର ସବୁ କର୍ମମାନ ଲୋପ ହୋଇ

ପ୍ରାନ୍ତେ ମୋ ସମୀପକୁ ଦିଅନ୍ତି ପୁଆଇ

।।

ବ୍ରହ୍ମଚାରିମାନେ ସଂଯମ ଅଗ୍ନିରେ

ଇନ୍ଦ୍ରିୟ ଘୃତ ହୋମ କରନ୍ତି ଯତ୍ନରେ

।।

ଗୃହୀଜନେ ଇନ୍ଦ୍ରିୟ-ଅଗ୍ନିରେ ବିଷୟ

ଘୃତକୁ ଲଡ଼ୁଥାନ୍ତି ବହି କରି ପ୍ରିୟଂ

।।

ଧ୍ୟାନ ନିଷ୍ଠେ ଜ୍ଞାନଇନ୍ଦ୍ରିୟ, କର୍ମେନ୍ଦ୍ରିୟ

ପ୍ରାଣ କର୍ମ କରନ୍ତି ଧ୍ୟାନାଗ୍ନିରେ ଲୟ

।।

ଦାନଯଜ୍ଞ, ତପୋଯଜ୍ଞ, ଯୋଗଯଜ୍ଞ

ବେଦଯଜ୍ଞ କରନ୍ତି କେହି ହେ ପାର୍ଥ ବିଜ୍ଞ

।।

ଦ୍ରବ୍ୟମୟ ଯଜ୍ଞ ପ୍ରତିକି ଜ୍ଞାନ ଯଜ୍ଞ

ବଡ଼ ବୋଲି କହି ଅଛନ୍ତି ସବୁ ବିଜ୍ଞ

।।

ଶ୍ରୀକୃଷ୍ଣ ବୋଇଲେ ହେ ସନ୍ୟାସ କର୍ମଯୋଗ

ମୋକ୍ଷ କର ବୋଲି ଜାଣ ମହାଭାଗ

।।

ସନ୍ୟାସକୁ ପ୍ରତି କର୍ମଯୋଗ ଶ୍ରେଷ୍ଠ

ଜାଣି ଆଚରନ୍ତି ତା ନରେ କରି ଇଷ୍ଟ

।।

ଯେଉଁ ଲୋକ ଦ୍ୱେଷ ଆକାଂଙ୍କ୍ଷା ନ କରଇ

ନିତ୍ୟ ସନ୍ୟାସୀଟି ପାର୍ଥ ତାକୁ କହି

।।

ସନ୍ୟାସ କର୍ମଯୋଗ ଏକ ଯେ ଦେଖଇ

ଜାଣିବାର ବୋଲି ତାହାକୁଟି କହି

।।

ମୋତେ ଆଶ୍ରେ କରି ବହୁତ ଲୋକମାନେ

ମୋ ରୂପ ପାଇଛନ୍ତି ବିଜୟ ଘେନ ମନେ

।।

ମୋଠାରେ ଯେ ଯେରୂପେ ପଶଇ ଶରଣ

ସେ ରୂପେ ମୁଁ ତାକୁ ରଖଇଟି ଜାଣ

।।

ଈଶ୍ୱରଠାରେ କର୍ମ ଫଳକୁ ସମର୍ପଇ

କର୍ମଫଳ ଛାଡ଼ି କର୍ମକୁ ଯେ କରଇ

।।

ପାପରେ ସେ କେବେ ନୁହଇ ଲିପତ

ପଦ୍ମପତ୍ର ଜଳ ପରାୟେ ହୋଏ ଖ୍ୟାତ

।।

ଜ୍ଞାନ ତ ଅଜ୍ଞାନରେ ଆବୃତ ହୋଇଛି

ତେଣୁ ଜୀବ ଭଗବାନଙ୍କୁ ନିନ୍ଦୁଛି

।।

ବୁଦ୍ଧି, ଯତ୍ନ, ନିଷ୍ଠା, ଆଶ୍ରୟ ଈଶ୍ୱର-

ଠାରେ କଲେ ବିଗତ ପାପ ହୋଇ ନର

।।

ମୁକତି କିଲଭଇ ସନ୍ଦେହ ଏଥି ନାହିଁ

ବୀରକୁଳ ଗରିବ ମର୍ଦନ ପର୍ଥଭାଇ

।।

ବିଦ୍ୟାବନ୍ତ ଦ୍ୱିଜ, ଚଣ୍ଡାଳ, ଗାଈ, ହାତୀ

କୁକ୍କୁରରେ ଯାହାର ସମାନ ଅଟେ ମତି

।।

ତାହାକୁଟି ଅର୍ଜୁନ ଜ୍ଞାନୀ ବୋଲି କହି

ଆନଠାରେ ସେ କଥା ସମ୍ଭବିବ କାହିଁ

।।

ଯେଉଁ ଲୋକ ଜାଣିମାରଟି ହୋଇବ

ବିଷୟ ସୁଖ ଦୁଃଖ ବୋଲିଣ ଘେନିବ

।।

ଇହ ଲୋକେ କାମ କ୍ରୋଧଙ୍କ ଉଦବେଗ

ଦେହ ଯିବା ଯାଁଏ ଯେ ସହିଛି ମହାଭାଗ

।।

ତାହାକୁଟି ଯୋଗୀ ସୁଖୀ ବୋଲି କହି

ଆନଠାରେ ଏ କଥା ସମ୍ଭବଇ ନାହିଁ

।।

ଯେ କାମ କ୍ରୋଧ ଦୁଇ କରିଥାଏ ଦୂର

ସଂଯତ ଚିତ୍ତ ହୋଇଥାଏ ନିରଁନ୍ତର

।।

ଆତ୍ମତତ୍ତ୍ୱ କଥାକୁ ହୃଦୟେ ଧରିଥାଏ

ଜୀବନ ମୁକ୍ତ ତାକୁ ବୋଲନ୍ତି ସଭିଏ

।।

ଆତମା ଯାହାରଟି ବଶରେ ରହିନାହିଁ

ତାକୁ ତାଠାରୁ ଶତ୍ରୁ ଜଗତେ କେହି ନାହିଁ

।।

ଆପଣା ସୁଖ ଦୁଃଖ ପରାୟେ ପର ଦୁଃଖ

ସୁଖ ଘେନେ ଯୋଗୀଟି ଆହେ ନରଶିଖ

।।

ସୁହୃଦ, ମିତ୍ର, ଅଇରି, ମଧ୍ୟସ୍ଥ, ଦ୍ୱେଷ୍ୟ ବନ୍ଧୁ

ପାପୀ, ଉଦାସୀନ, ଅସାଧୁଜନ, ସାଧୁ

।।

ଏମାନଙ୍କେ ବୁଦ୍ଧି ଯେ କରଇ ସମତାକୁ

ଯୋଗାରୁଢ଼ ଯୋଗୀ ସମ ନୋହେ ତାକୁ

।।

ମନ ଯେଉଁଠାକୁ ବଳାତ୍କାରେ ଯିବ

ସେଠାରୁ ଆଣି ତାକୁ ଆତ୍ମାରେ ରଖିବ

।।

ମନ ଯେଉଁକାଳେ ଶ୍ରାନ୍ତ ହୋଇଯାଏ

ସେହିକାଳେଁ ବ୍ରହ୍ମସୁଖ ଭୋଗ ହୁଏ

।।

ଯୋଗିଜନ ମନ ହୋଇଲେ ଆୟତ୍ତ

ବ୍ରହ୍ମ ପ୍ରାପ୍ତ ତାର ହୁଅଇ ନିୟତ

।।

ଯୋଗୀଲୋକ ମୋ ଆତ୍ମା ସବୁ ପ୍ରାଣିଠାରେ

ଅଛି ସବୁ ପ୍ରାଣୀ ଅଛନ୍ତି ମୋ ଆତ୍ମାରେ

।।

ବୋଲି ସବୁଠାରେ ଦେଖଇ ବ୍ରହ୍ମକୁ

ଏଥିରେ କିସ ପାର୍ଥ ଅଛି କହିବାକୁ

।।

ଯେଉଁ ଲୋକ ସବୁଠାରେ ମୋତେ ଦେଖେ

ମୋ ଦେହରେ ସବୁ ଅଛିଟି ନିରେଖେ

।।

ସେ ଲୋକକୁ ମୁହିଁ ନୁହଇଟି ଅଦୃଶ୍ୟ

ସେ ଲୋକ ମୋର ମଧ୍ୟ ନୁହଇ ଅଦୃଶ୍ୟ

।।

ସବୁ ପ୍ରାଣୀ ଆଶ୍ରୟ ମୁଁ ବୋଲି ଯେଉଁ ଯୋଗୀ

ମୋତେ ଭଜେ ଜାଣ ସେ ଉତ୍ତମ ବଇରାଗୀ

।।

ମନ ବଶ ଯାହାର ହୋଇଛି ଅରଜୁନ

ସବୁବେଳେ ଯୋଗ ତାହାର ଅଧୀନ

।।

ଭଲ କଥା କରୁ କରୁ ନ ପାରିଲେ

ମନ୍ଦରେ ଗଣନାକି କରିବା ତାକୁ ଭଲେ

।।

ଯୋଗ ଭ୍ରଷ୍ଟ ଲୋକ ମଲେ ପୁଣ୍ୟ ଲୋକ

ଭୋଗ କରେ ପୁଣି ମର୍ତ୍ତ୍ୟରେ ଧନୀ ଲୋକ

।।

କୁଳରେ ଜାତ ହୋଇ ଭୋଗକୁ କରଇ

ନୋହିଲେ ଯୋଗିକୁଳେ ଜନମ ହୁଅଇ

।।

ପୂର୍ବ ଦେହ ଯୋଗ ବୁଦ୍ଧିଟି ତାହାକୁ

ଦିଅନ୍ତି ଈଶ୍ୱରଟି ବହି ସରାଗକୁ

।।

ବୁଦ୍ଧି ହେବା କ୍ଷଣି ଯୋଗକୁ ଯତନ

କରଇ ଅହର୍ନିଶୀ ବସି ହେ ଅରଜୁନ

।।

ପୂର୍ବ ଅଭ୍ୟାସରେ ତ ହୁଅଇ ଅବଶ୍ୟ

ଏଣୁ ଯୋଗେ ମନ ସେ କରଇ ଲାଳସ

।।

ଜିଜ୍ଞାସୁ, ରୋଗୀ, ଜ୍ଞାନୀ, ଧନାର୍ଥୀଏ ନିତ୍ୟେ

ସୁକୃତ ଥିଲେ ପାର୍ଥ ଭଜନ୍ତିଟି ମୋତେ

।।

ଜ୍ଞାନୀର ମୁଁ (ଶ୍ରୀକୃଷ୍ଣ) ପ୍ରିୟ ଜ୍ଞାନୀ ମୋର ପ୍ରିୟ

କହୁଛି ଜାଣିଥାଅ ଦ୍ରୌପଦୀ ଦେବୀ ପ୍ରିୟ

।।

ପୁଣ୍ୟ କର୍ମେ ଯାହାର ପାପ ନାଶ ଯାଏ

ସେ ଏକା ଭଜି କରି ପାର୍ଥ ମୋତେ ପାଏ

।।

ଅନ୍ତଃକାଳେ ମୋତେ ସୁମରି ଯେ ମରେ

ଲୀନ ହୋଇଯାଏ ସେ ମୋହର ଦେହରେ

।।

ଏ ବାହାରେ ଅନ୍ତଃକାଳେ ଯେଉଁ ରୂପ

ଯେ ସୁମରେ ଜାଣ ସେ ଲଭଇ ସେହି ରୂପ

।।

ଏ ସକାଶୁ ଅରଜୁନ ପ୍ରତିଦିନେ

ସୁମର ଅନ୍ତଃକାଳେ ସ୍ଫୁରିବ ତୁମ୍ଭ ମନେ

।।

ଚିତ୍ତ ଶୁଦ୍ଧି ବିନା ତ ନୋହେ ମୋ ସ୍ମରଣ

ଚିତ୍ତ ଶୁଦ୍ଧିକି ତ ସ୍ୱଧର୍ମ କାରଣ

।।

ତାହା ରଖି ଆଗ, ମୋ ପାଖେ ମନ ରଖି

ପଛେ, ଦେବ ଭବ ଦୁଃଖକୁ ଉଂପେକ୍ଷି

।।

ଯେଉଁ ଲୋକ ଅହର୍ନିଶୀରେ ମୋତେ ଧ୍ୟାନ

କରଇ ମୁଁ ତାହାର ହୁଅଇ ଅଧୀନ

।।

ଭଜି କରି ମୋତେ ଲଭଇ ଯେଉଁ ଦେହୀ

ଆଉ ଥରେ ତାହାର ଜନମ ନୁହଇ

।।

ବ୍ରହ୍ମ ଲୋକଯାଏ ଯାଇ କରି ଲୋକ

ଆସୁଅଛି ଆଉ ଥରେ ମହୀ ଲୋକ

।।

ମତେ ଯେଉଁ ଲୋକ ଭକତିରେ ପାଏ

ଧରି ନ ପାରଇ ସେ ଆଉ ଥରେ କାୟେ

।।

ଯେତେବେଳେ ପୁଣ୍ୟ ତାଙ୍କର ସରିଯାଏ

ମର୍ତ୍ତ୍ୟଲୋକେ ଆସି ଜନମ ପୁଣି ହୋଏ

।।

ଯାଗକର୍ମ କରି ପୁଣି ଆଉ ଥରେ

ବସନ୍ତି ସୁଖେ କାମୀ ସ୍ୱର୍ଗରେ ସୁଖରେ

।।

ଏ ରୂପେ କାମୀଙ୍କର ଯିବାର ଆସିବାର

ହେଉଛି ଅରଜୁନ ହେ ଥରକୁ ଥର

।।

ତତ୍ତ୍ୱରେ ତ ମୋତେ ନ ଜାଣନ୍ତି କେହି

ଏଣୁ ପୁଣ୍ୟ ଲୋକୁଁ ପଡ଼ନ୍ତି ଚ୍ୟୁତ ହୋଇ

।।

ପତ୍ର, ପୁଷ୍ପ, ଫଳ, ଜଳ ଯେ ଭକତିରେ

ଦିଏ ମୁଁ ତାହା ଜାଣ ଘେନଇ ପ୍ରୀତିରେ

।।

କରିବାର ଆହାର ହୋମ ତପ ଦାନ

ମୋତେ ସମର୍ପଣ କର ହେ ଅରଜୁନ

।।

ଏ ରୂପେ କଲେ ଶୁଭା ଶୁଭରୁ ତୁମ୍ଭଙ୍କୁ

ମୁକତ କରିବି ମୁଁ କହୁଛି ସତ୍ୟକୁ

।।

ମୋ ଭଜନ କଥାରେ ବହି କରି ପ୍ରିୟ

ମୋର ପାଦ-ପଦ୍ମ ସେବାରେ ମନ ଦିଅ

।।

ମୋତେ (ଶ୍ରୀକୃଷ୍ଣ) ପୂଜା କରି କର ନମସ୍କାର

ଯେବେ ମୋତେ ପାଇବା ଇଚ୍ଛା ମନେ କର

।।

ଅଭ୍ୟାସ ପ୍ରତିକିଟି ଜ୍ଞାନ ଅଟେ ଶ୍ରେୟ

ଜ୍ଞାନକୁ ଧ୍ୟାନ ଆହେ ଅଧିକ ବିଜୟ

।।

ଧ୍ୟାନ କଲା ପ୍ରତିକି କର୍ମଫଳ ତ୍ୟାଗ

ବଡ଼ ଅଟଇ ହେ ଜାଣ ମହାଭାଗ

।।

କର୍ମ ଫଳ ତ୍ୟାଗ ଯେ ଜନ କରଇ

ସଂସାର-ଶାନ୍ତି ଜାଣ ତାରଟି ହୁଅଇ

।।

ସତ୍ତ୍ୱ ଗୁଣ ଲୋକ ଯାଆନ୍ତି ଉପରକୁ

ରଜୋଗୁଣ ଲୋକେ ପାଆନ୍ତି ମଧ୍ୟମକୁ

।।

ତମୋ ଗୁଣ ଲୋକ ପାଆନ୍ତି ନରକ

ଜାଣ ଆହେ ପାଣ୍ଡବ ବୀରଙ୍କ ନାୟକ

।।

କାମ କ୍ରୋଧ ଲୋଭ ନରକ ଦୁଆର

ଜାଣିମା ଲୋକମାନେ କରନ୍ତି ଅନ୍ତର

।।

ଫଳାକାଂଙ୍କ୍ଷୀ ନୋହି କାୟିକ ବାଚିକ

ମାନସ ତପ କଲେ ସାତ୍ତ୍ୱିକ ସେ ଲୋକ

।।

ସତ୍କାରମାନ ପୂଜା ଲଭିବାର ପାଇଁ

ତପ କଲେ ରାଜସ ତପ ସେ ବୋଲାଇ

।।

ମୂର୍ଖ ପଣେ ଦେହ ପୀଡ଼ା ଦେଇ ପର

ଉତ୍ସାଦନରେ ଯେ କରଇ ତପ ଘୋର

।।

ତାହାକୁଟି ତାମସ ତପ ବୋଲି କହି

ଆହେ ଅରଜୁନ ଜାଣ କହୁ ଥାଇଁ

।।

ଅନୁପକାରୀ ଲୋକମାନଙ୍କୁ ଯେଉଁ ଦାନ

ଯେ ଦେଉଛି ସାତ୍ତ୍ୱିକ ବୋଲି ତାହା ଘେନ

।।

ଦେଶ କାଳ ଜାଣି ଯେ ପାତ୍ରରେ ଦାନ ଦିଏ

ସେହି ମଧ୍ୟ ଅର୍ଜୁନ ସାତ୍ତ୍ୱିକ ବୋଲାଏ

।।

ପ୍ରତ୍ୟୁପକାର ଆଶେ ବା ଫଳ ଉଦ୍ଦେଶ୍ୟେ

ଯେ ଦାନ ଦେଉଅଛି ରାଜସ ତାକୁ ଭାଷେ

।।

ଆଦେଶରେ, ଅକାଳେ, ଅପାତ୍ରରେ ଦାନ

ଦେଲେ ତାମସଟି ତାହାର ଅଭିଧାନ

।।

ସବୁ କର୍ମମାନଙ୍କର ଯେ ଫଳ ତ୍ୟାଗ

ତ୍ୟାଗ ବୋଲି ତାହାକୁ ଜାଣ ମହାଭାଗ

।।

ସତ୍ତ୍ୱବନ୍ତ ଦୁଃଖକର କରମକୁ

କରୁଥାଏ ସୁଖ କରିଣ ମନକୁ

।।

ସୁଖ କର କର୍ମରେ ନୁହଇ କିଛି ପ୍ରୀତ

ଯେ ଏଟି ତାକୁ ତ୍ୟାଗୀ ବୋଲିହେ ପାଣ୍ଡୁ ସୁତ

।।

ଦେହୀ ଲୋକ କର୍ମ ତ ଛାଡ଼ି ନ ପାରଇ

ଯେ କର୍ମ କରେ ଫଳ ଛାଡ଼ି ତ୍ୟାଗୀ ସେହି

।।

ଯେଉଁମାନେ କର୍ମ ଫଳକୁ ନ ଛାଡ଼ନ୍ତି

ଅନିଷ୍ଟ ଇଷ୍ଟ ମିଶ୍ର ଫଳକୁ ପାଆନ୍ତି

।।

ଅଧିଷ୍ଠାନ, କର୍ତ୍ତା, ଦଇବ, କାରଣ

ଚେଷ୍ଟା ମିଶି ପାଞ୍ଚ କାରଣ ଏ ଜାଣ

।।

କାୟ, ବାଚ, ମନରେ ଧର୍ମାଧର୍ମ କର୍ମ

କରିବା କଥାରେଟି ସେ ପାଞ୍ଚେ ପାର୍ଥ ମର୍ମ

।।

ମୁଁ କରିଛି କର୍ମ ବୋଲି ଯେ ବୋଲଇ

ତାହା ଠାରୁ ଅଜ୍ଞାନୀ ହୋଇ ଲୋକ ନାହିଁ

।।

ଯେଉଁ ଜ୍ଞାନେ ସବୁ ପ୍ରାଣୀ ଆତ୍ମା ଏକ

ଭାବନ୍ତି ସେ ଜ୍ଞାନଟି ବୋଲାଏ ସାତ୍ତ୍ୱିକ

।।

ଯେଉଁ ଜ୍ଞାନେ ନାନା ଆତମା ଭାବନା

ହୋଏ ରାଜସ ସେ ବୋଲାଏ ମହାମନା

।।

ଏକ ମୂର୍ତ୍ତି ବା ଦେହେ ଯା ଈଶ୍ୱର ମତି

ତାମସ ଜ୍ଞାନୀ ବୋଲି ତାହାକୁ କହନ୍ତି

।।

ଫଳ ଇଚ୍ଛା ନ କରି କରି ଯେଉଁ କର୍ମ

ସାତ୍ତ୍ୱିକଟି ବୋଲାଏ ଅର୍ଜୁନ ତାର ନାମ

।।

ଫଳକୁ ଇଚ୍ଛା କରି ସାହଙ୍କାର ହୋଇ

ଯେଉଁ କର୍ମ କରି ସେ ରାଜସ ବୋଲାଇ

।।

ଅନୁବନ୍ଧ, କ୍ଷୟ, ପୌରୁଷ, ଅହିଂସାକୁ

ଅପେକ୍ଷା ନ କରି ଯେ କରଇ କରମକୁ

।।

ତା କର୍ମକୁ ଅର୍ଜୁନ ବୋଲିଟି ତାମସ

ତୁଛା ବସ ସନ୍ଦେହ ନ କର ଗୁଡ଼ାକେଶ

।।

ସବୁ ହୃଦରେତ ଅଛନ୍ତି ଈଶ୍ୱର

ଭ୍ରମାଉଛନ୍ତି ଯନ୍ତ୍ରାରୂଢ଼ ପରି ନର

।।

ସବୁ ଛାଡ଼ି ଈଶ୍ୱରଠାରେ ଅରଜୁନ

ଶରଣ ପଶ ତୁମ୍ଭେ ପାଇବ ଭଲ ସ୍ଥାନ

।।

ମୋ ଠାରେ ମନ ଦିଅ ମୋତେ ପୂଜା କର

ମୋ ଭକତ ହୋଇ କର ନମସ୍କାର

।।

ଏମନ୍ତ ହେଲେ ମୋତେ ପାଇବ ଆହେ ପାର୍ଥ

ନ କରିବ ଲୋଡ଼ା ବେଦ ଶାସ୍ତ୍ର ଅର୍ଥ

।।

ସବୁ ଧର୍ମ ଛାଡ଼ି ମୋପାଦେ ଶରଣ

ପଶ ସବୁ ପାପରୁ ତାରିବି ମୁଁ ଅର୍ଜୁନ

।।

ସଂପତ୍ତିରେ ମିତ୍ର ଅମିତ୍ର ନୋହେ ଚିହ୍ନା

ବିପତ୍ତି ହେଲେ ସିନା ହୋଏ ସେ କଳନା

।।

ବିପତ୍ତିରେ କିପାଁ ଅଧୈର୍ଯ୍ୟ ହେଉଛ

ଏ ସଂସାର ବନ୍ଧ ତ ଜାଣି ଅଛ ମିଛ

।।

ପୁତ୍ର, ମିତ୍ର ଭାରିଯା, ଧନରେ ଦେଇ ଚିତ୍ତ

ହେଉଛନ୍ତି ଦେଖୁ ଥାଇ ଲୋକେ ହତ

।।

କାଳକୁତ କେହି ଜିଣି ପାରୁ ନାହିଁ

କାଳକୁ ଚାହିଁ ଶୋକ ଦୁଃଖଟି ହୁଅଇ

।।

ଶୋକ କଲେ ନାଶ ଯାଏ ତ ବିବେକ

ଏହା ଜାଣି ପଣ୍ଡିତେ ଛାଡ଼ି ଥାନ୍ତି ଶୋକ

।।

ପୂର୍ବେ ଯେଉଁ ଲୋକ କରିଥାଏ ପାପ

ସେ ଫଳଟି ଫଳିବା କାଳେ ସେ ହୋଏ ଲୋପ

।।

ବାଲ୍ୟ, ଯଉବନ, ଜ୍ୱରାରେ ତ୍ରିପ୍ରକାର

ବୁଦ୍ଧି ହେଉଅଛି ସବୁରି ମନେ କର

।।

କାର୍ଯ୍ୟକୁ ଚାହିଁ କରି ବୁଦ୍ଧି ଯେ ନିଶ୍ଚୟ

କରଇ କାର୍ଯ୍ୟ ତାର ହୁଅଇ ଉଦୟ

।।

ସାବଧାନ ନୋହିଲେ ବିଦ୍ୟା କୀର୍ତ୍ତି ତପ

ସବୁ ଲୋକଙ୍କର ହୋଇଯାଏ ଲୋପ

।।

ମାତା, ପିତା, ପୁତ୍ର ବୋଲି ବୋଲୁଥାନ୍ତି

ମଲେ ଆଉ ଥରେ ଆସି ନ ଦେଖନ୍ତି

।।

ଦ୍ରବ୍ୟ, ରୂପ, ଯୌବନ ଆରୋଗ୍ୟ ଜୀବିତ

ଭାରିଯା, ପୁତ୍ର, ମିତ୍ର ବୋଲନ୍ତି ଅନିତ୍ୟ

।।

ଜ୍ଞାନରେ ମନୁ ଦୁଃଖ, ଔଷଧେ ବେଦନା

ନାଶୁ ଥିବ ସୁବୁଦ୍ଧି ହେବଟି ଯେ ନନା

।।

ପୂର୍ବେ କଲା କର୍ମ ନ ଛାଡ଼ଇ ସଙ୍ଗ

ସୁଖ ଦୁଃଖ ଭୋଗ କରୁଥାଏ ଅଙ୍ଗ

।।

ଆପଣାର ଆପେ ପାପ ପୁଣ୍ୟ ସାକ୍ଷୀ

ହୁଅଇ ବୋଲି ଜାଣ ଶାସ୍ତ୍ର ଅଛି ଲେଖି

।।

ସଂସାର ବର୍ତ୍ତ ଜଳେ ଅଜ୍ଞାନୀ ବୁଡ଼ନ୍ତି

ପଣ୍ଡିତେ ହରିନାମ-ଭେଳାରେ ତରନ୍ତି

।।

କର୍ମ-ସାପ ମୁଖେ ପଡ଼ି ପ୍ରାଣିଜନ

ବିଷୟ ବିଷାନଳେ ହୁଅନ୍ତି ଦହନ

।।

ରାଜ୍ୟନାଶ, ସୁହୃଦ୍‌ନାଶ, ପୁତ୍ରନାଶ

ଅଧର୍ମରୁ ରାୟେ ହୋଏଟି ପ୍ରକାଶ

।।

ଜ୍ଞାନ ବିନା, ବଳ, ଅର୍ଥ, ମିତ୍ର, ବନ୍ଧୁଜନ

ଯୋଗେ ନୁହେ ନୃପ ଦୁଃଖ ବିମୋଚନ

।।

ଦମ, ତ୍ୟାଗ, ଅପ୍ରମାଦ ଅଶ୍ୱ କରି

ମନୋରଥରେ ଯେ ଯୋଚଇ ବିଚାରି

।।

ଶୀଳ ଦଉଡ଼ିକି ଧରି ସେହି ଲୋକ

ସେ ରଥରେ ବସି ଦେଖଇ ବହ୍ମ ଲୋକ

।।

ସବୁ ପ୍ରାଣିମାନଙ୍କୁ ଅଭୟ ଯେ ଦେଉଛି

ସହସ୍ରେ ଯାଗ ଫଳ ତା ସଙ୍ଗେ ଗୋଡ଼ାଇଛି

।।

ପ୍ରାଣିମାନଙ୍କରେ ହେବାର ଦୟାପର

ସର୍ବ ଧର୍ମ ସାର ଅଟଇ ନରବର

।।

ରଜା ହୋଇ ଯେବେ ଦଣ୍ଡ ନ ଦିଅଇ

ସଂପତ୍ତି ଜାଣ ତାର କେବେ ନ ରହଇ

।।

ଧର୍ମ ଅର୍ଥ କାମକୁ ରଖିଅଛି ଦଣ୍ଡ

ଏ ସକାଶୁ ଅନ୍ୟାୟ ନୋହେ ଏ ବ୍ରହ୍ମାଣ୍ଡ

।।

ରାଜ, ଯମଦଣ୍ଡ ପରଲୋକ ଭୟ

ସକାଶୁଁ ପାପ ନ କରନ୍ତି ଜନଚୟ

।।

ଲୋକ ରକ୍ଷା ସାବଧାନ ହେବା ପାଇଁ

ଦଣ୍ଡ ପ୍ରତିଷ୍ଠିତ ହୋଇଅଛି ମହୀ

।।

ବ୍ରହ୍ମଚାରୀ, ଗୃହୀ, ଭିକ୍ଷୁ, ବାନପ୍ରସ୍ଥ

ଦଣ୍ଡ ଘେନି ରହି ଅଛନ୍ତି ହୋଇ ସୁସ୍ଥ

।।

ଭୟ ଉପସ୍ଥିତ ନୋହିଲେ ମନରେ

ଧର୍ମ କରି ନ ପାରେ ଲୋକ ଏ ମହୀରେ

।।

ଦଣ୍ଡ ବିନା ଲୋକରେ ହୋଇଥିବ ବଶ

କେ ଅଛି ଦେଖିନାହିଁ ଆଜିଯାଏ ଦୃଶ

।।

ବୁଦ୍ଧି ପ୍ରାସାଦରେ ଚଢ଼ଇ ଯେଉଁ ନର

ସବୁ ଦେଖୁଥାଏ ସେ ଶୋକ କରି ଦୂର

।।

ପରମ ସୁଖ ସ୍ୱର୍ଗ ସନ୍ତୋଷକୁ କହି

ସନ୍ତୋଷରୁ ବଳି ଆଉ କଥା ନାହିଁ

।।

ଭାର୍ଯ୍ୟା, ପୁତ୍ର, ମିତ୍ର, ବାନ୍ଧବ, ସମ୍ପତ୍ତି

ମୋହର ଯେ ନ ବୋଲେ ସେ ପାଏ ଭଲ ଗତି

।।

ଯାହାର ସକାଶରୁ ଉପୁଯିବ ଶୋକ

ତାକୁ ଛାଡ଼ିଦେବ ଯେ ହେବ ବିବେକ

।।

ମରିଯିବା ଉତ୍ତାରୁ ଯାର ସ୍ତୁତି ବାଣୀ

ପ୍ରକଟ ହୁଏ ସେହି ନର କୁଳମଣି

।।

ବିତ୍ତ ହେଲେ ଦେଲେ ହୁଅଇ ସେ ହିତ

ନ ଦେବା ଲୋକକୁ ସେ ହୁଅଇ ଅହିତ

।।

ଲୁବ୍ଧ ଲୋକେ ଧନ ଜାକି ରଖିଥାନ୍ତି

ଅନ୍ୟାୟରେ ଅପାତ୍ର ଲୋକରେ ଦିଅନ୍ତି

।।

ଧରମ କରିବାକୁ ଜନମ ତୁମର

କରମ ଛାଡ଼ିବାକୁ ନାହିଁ ଅଧିକାର

।।

ଅହଂ ବୁଦ୍ଧିଟିରେ ଲୋକ ବୁଡ଼ି ଯାଇ

ପୈତୃକ ଧନ ଯାକ ବିନଷ୍ଟ କରଇ

।।

ତହୁଁ କରେ ହରଣ ସେ ପରଇ ଧନ

ରାଜାଟି ତାର ଦଣ୍ଡ କରନ୍ତି ବିଧାନ

।।

କାଳରେ ବଳିଆର ଦୁର୍ବଳ ହେଉଛି

ଧନାଡ଼୍ୟ ଲୋକ ମଧ୍ୟ ପରକୁ ମାଗୁଛି

।।

ସତ୍ୟ, ଦାନ, ତପସ୍ୟା, ଅହିଂସା, ଅଧ୍ୟୟନ

ଅକ୍ରୋଧ ଦେବ ପୂଜା ଧର୍ମର ଲକ୍ଷଣ

।।

ଆପଣା ପର ଦୁଇ ପରୀକ୍ଷା କରୁଥିବ

ନିର୍ବ୍ୟବସାୟ ହୋଇ କ୍ଷଣେ ନ ରହିବ

।।

ଗୀତ ନୃତ୍ୟ ସ୍ତିରୀରେ ଆସକ୍ତ ନୃପତି

ହେଲେ ଇଚ୍ଛାସୁଖରେ ନାଶ କରେ ଭୁତି

।।

ଆପଣା ଧନ ପାଇ ହୋଇବ ତ୍ରୁପତ

ପର ଧନେ ନ ଦେବ କହାଚିତେ ଚିତ୍ତ

।।

ରଜାର ପ୍ରିୟ ଯେଉଁ ଲୋକଟି ବାଞ୍ଛଇ

ଇହପର ଦୁଇରେ ବାଧା ତାର ନାହିଁ

।।

ଯେଉଁ ଲୋକ ରଜାର ଅନିଷ୍ଟ ଚିନ୍ତା କରେ

ପଡ଼ଇ ସେ ଯାଇ ଘୋର ନରକରେ

।।

ରାଜଦ୍ରବ୍ୟ ପଥରଠାରୁ ଅଟେ ଆଣ୍ଟ

ଖାଇଲେ ତାହା ଲାଗି ରହେ କଣ୍ଠତିଟ

।।

ଏହା ଜାଣି ଆପଣା ଦ୍ରବ୍ୟରୁ ଅଧିକ

କରି ମଣୁଥିବ ରଜାର ଦ୍ରବ୍ୟଯାକ

।।

ଯେବେ କୃପା ଦୃଷ୍ଟିରେ ଚାହେଁ ମହୀପାଳ

ତେବେ ମୂକ ଲୋକ ହୁଅଇ ବାଚାଳ

।।

ଯେ ଲୋକକୁ ଚାର କରିବ ନରସାଇଁ

ଜଡ଼ ଅନ୍ଧ ବଧିର ପରି ସେ ଥିବ ରହି

।।

ଲେଭୀକି ନ ଦେବ ଧନ, ଅପକାରୀ ଜନ

ମାନଙ୍କୁ ନ କହିବ ବିଶ୍ୱାସ ବଚନ

।।

ମାଳୀ ପୁଷ୍ପ ଲତା ପାଳିବା ପରାୟେ

ପ୍ରଜାକୁଳ ପାଳିବ ଯେ ହୋଇବ ରାୟେ

।।

ପ୍ରଜା ପାଳନର ଦିନକ ଧର୍ମରେ

ଦଶ ଶତୃ ବରଷ ବସଇ ସ୍ୱର୍ଗରେ

।।

ତପସ୍ୟା ଯାଗାଦିର ଅର୍ଜିତ ଯେତେ ଲୋକ

ପ୍ରଜା ପାଳନରେ ଅଛିଟି ତେତେକ

।।

ବ୍ରାହ୍ମଣ ନିତ୍ୟସ୍ନାୟୀ, କ୍ଷତ୍ରିୟ ନିତ୍ୟ ଶସ୍ତ୍ର

ହୋଇଲେଟି ଜିଣି ପାରନ୍ତି ଜଗତ

।।

ଶତ୍ରୁଠାରେ ସୂର୍ଯ୍ୟ ପରାୟେ ହୋଇବ

ସୁଜନେ ଚନ୍ଦ୍ର ପରି ଗୁଣ ପ୍ରକାଶିବ

।।

ଅତିମୃଦୁ, କୃପାଳୁ, ଧାର୍ମିକ ଯେବେ ହେବ

ଲୋକରେ ତେବେ ତୁମ୍ଭେ କ୍ଳୀବ ବୋଲାଇବ

।।

ଯା ଆଶ୍ରୟେ ସୁଖୀ ପଣ୍ଡିତ ସଜ୍ଜନ

ହୁଅନ୍ତି ସେ ସ୍ୱୟଂ ଧର୍ମୁ ବଡ଼ ଜାଣ

।।

ଏକ ଉଦ୍ଦେଶ୍ୟରେ କାର୍ଯ୍ୟ କରନ୍ତି ଯେ ଦୁଇ

ସହାର୍ଥ ମନ୍ତ୍ରୀ ବା ମିତ୍ର ତାହାକୁଟି କହି

।।

ଧାର୍ମିକ, ଅପକ୍ଷପାତୀ, ନ୍ୟାୟପରାୟଣ

ବେତନ ଭୋଗୀ ହୋଇ ଯେ ନିଷ୍କପଟ ଜାଣ

।।

ରାଜାର ପଞ୍ଚମ ମିତ୍ର ବୋଲାଏ ସେ ରାୟେ

ତା ଘେନି ବହୁ ମଙ୍ଗଳ ରାଜାରଟି ହୁଏ

।।

ବ୍ୟକ୍ତି ବିଶେଷର ପ୍ରତି ସାବଧାନ ହୋଇ

ବିଶ୍ୱାସ ବା ଅବିଶ୍ୱାସ କରିବା ଯୋଶାଇ

।।

ଏକ କାର୍ଯ୍ୟେ ଦୁଇ ତିନି ଅଧିକାରୀ ହେଲେ

କାର୍ଯ୍ୟଟି ନାଶଂ ଯାଏ ବିରୋଧ ଘଟିଲେ

।।

ପ୍ରାଣିମାନେ ଧର୍ମରେ ରହିଛନ୍ତି ଜାଣ

ଧର୍ମ ସ୍ୱରୂପୀଟି ଅଟନ୍ତି ନରରାଣ

।।

ମରଣ ଘଟିଲେହେଁ ଯେ ମିଛ ନ କହେ

ଦୁସ୍ତର ଭବସିନ୍ଧୁ ହେଲେ ସେ ପାରି ହୁଏ

।।

ପର ବୋଲେଲୋକକୁ କରଇ ଯେ ନାଶ

ତା ବେକରେ ନିକଟେ ଲାଗଇ କାଳ ଫାଶ

।।

ମୂର୍ଖ ଲୋକ ପ୍ରଶଂସା ନିନ୍ଦାକୁ ପଣ୍ଡିତ

ନ ବିଚାରି ସହୁ ଥିବଟି ନିରତ

।।

ବନ ମଧ୍ୟେ କାକ ଡାକ ଦେଲାପରି

ସ୍ତୁତି ନିନ୍ଦା ବଚନ ଅଟଇ ତାହାରି

।।

ଆଗେ ବନ୍ଦି ପଛେ ନିନ୍ଦା ଯେ କରଇ

କୁକ୍କୁର ପରି ଜାଣ ବୁଦ୍ଧି ତା ଅଟଇ

।।

ବୁଦ୍ଧି ସକାଶରୁ ହାନି, ଲାଭ, ଜୟ

ହେଉଛି ହେ ଜାଣ ଧର୍ମଙ୍କ ତନୟ

।।

ବିଦ୍ୟା, ତପ, ଧନ ବ୍ୟବସାୟ ବିନା

କେବେ ନୁହଇ ହେ ଜାଣ ମହାମନା

।।

ଯେଉଁ କର୍ମ କଲେ ହୋଇବେ ଲୋକ ତୋଷ

ସେହି କର୍ମ କରୁଥିବ ନରଈଶ

।।

ସବୁ ଲୋକମାନେ ଆଶା ସକାଶରୁ

ମରୁଛନ୍ତି ତହିଁରେ ନୋହି କିଛି ଭୀରୁ

।।

ଆକାଶକୁ ପ୍ରତି ଆଶା ଅଟେ ବଡ଼

ମୋ ମତିରେ ଏଥିରେ କିଛି ନାହିଁ ହୁଡ଼

।।

ରାଜାଙ୍କୁ ପ୍ରଜା, ପ୍ରଜାମାନଙ୍କୁ ରାଜନ

ଅନ୍ୟୋନ୍ୟରେ ରକ୍ଷା କରିବେ ପ୍ରତିଦିନ

।।

ଅଧନ ହେଲେ ରଜା ଦୁର୍ବଳ ବୋଲାଏ

ଧନ ହେଲେ ବଳିଆର ହୋଏ ରାୟେ

।।

ବିପତ୍ତି ଯେଉଁ କାଳେ ପଡ଼ିବ ଲୋକଙ୍କୁ

ନ ବିଚାରି ଆଦର କରିବ ଅମିତ୍ରକୁ

।।

ଅମିତ୍ରତୁଲେ ପ୍ରୀତି ନ କଲେ ବିପତ୍ତିରେ

ରହି ନ ପାରେ ସେ ଜାଣ ସମ୍ପତ୍ତିରେ

।।

ଶଗଡ଼ ପରେ ନାବ, ନାବରେ ଶଗଡ଼

ଯାଉ ଅଛି ଯେଣୁ ଅଟଇ କାଳ ବଡ଼

।।

ବିଶ୍ୱାସରେ ଅତି ବିଶ୍ୱାସ ନ କରିବ

କରିବ ଯେବେ ସମୂଳ ହୋଇ ନାଶ ଯିବ

।।

ବଳିଆର ଲୋକ ପାଶକୁ ଦୁର୍ବଳ

ଗଲେ ତାହାର ସେ ହୁଅଇ କବଳ

।।

ସବୁଠାରେ ଅବିଶ୍ୱାସ କରିବାର

ଅଟଇ ଜାଣିବାର ଲୋକର ବିଚାର

।।

ଅବିଶ୍ୱାସ କଲେ ଦୁର୍ବଳକୁ ବଳୀ

ବାଧି ନ ପାରଇ ହେ ତାର ବଳ କଳି

।।

ବଳିଆର ଲୋକ ବିଶ୍ୱାସକୁ କଲେ

ଦୁର୍ବଳ ଲୋକଠାରୁ ମରଣ ଲଭେ ଭଲେ

।।

ଧନ ହରଣରୁ ପୁତ୍ର ଭ୍ରାତା ସଖା

ଶତ୍ରୁ ମଧ୍ୟେ ଜାଣ ହୋଇଥାନ୍ତି ଲେଖା

।।

ବିଦ୍ୟା, ଶୌଚ, ଦାକ୍ଷ୍ୟ, ବଳ, ଧୀରପଣ

ପଣ୍ଡିତ ଜନଙ୍କର ଏ ପାଞ୍ଚୋଟି ଗୁଣ

।।

ଜାଣିବା ଲୋକ ସବୁଠାରେ ଶୋଭା ପାଏ

ପଡ଼ିଲେ ଭୟ ନିର୍ଭୟରେ ଦିନ ନିଏ

।।

ବୁଦ୍ଧିମନ୍ତ ଲୋକର ହେଲେ ଅଳ୍ପ ଧନ

ବୁଦ୍ଧିରେ ସେ ଦ୍ୱିଗୁଣ ହୁଅଇ ରାଜନ

।।

ଗୃହ ସ୍ନେହ ରଜ୍ଜୁରେ ବଦ୍ଧ ହେଲେ ନର

ଜାଣ ତାକୁ ଭାରିଯା କରେଟି ଆହାର

।।

ଦରିଦ୍ରକୁ ଯେଉଁ ରଜା ଦିଏ ଅନ୍ନ

ତା ସମ୍ବନ୍ଧ କେବେ ନ ଛାଡ଼ନ୍ତି ଜନ

।।

ପିତା, ମାତା, ଗୁରୁ, ଗୋପତା, ବହ୍ନି, ଯମ

କୁବେର, ବୋଲାଏଟି ନରଙ୍କ ଉତ୍ତମ

।।

ପ୍ରଜାଠାରେ ଦୟା କରିବାରୁ ପିତା

ଦୀନରେ ଅନୁଗ୍ରହ କଲେ ହୋଏ ମାତା

।।

ଅନିଷ୍ଟ କଥାଯାକ କଲେ ରଜା ନାଶ

ଅଗ୍ନି ବୋଲାଏ ହେ ଜାଣ ନରଈଶ

।।

ସବୁ ପ୍ରାଣୀମାନଙ୍କୁ ଧର୍ମ ପ୍ରବର୍ତ୍ତଇ

ରଖିବାରୁ ଯମ ବୋଲାଏ ନରସାଇଁ

।।

ଆପଣା ଜୟଦ୍ରବ୍ୟ କରିବାରୁ ଦାନ

କୁବେର ବୋଲାଏଟି ନରପତି ଜାଣ

।।

ଧର୍ମ ଉପଦେଶ ଦେବାରୁ ହୋଏ ଗୁରୁ

ଗୋପ୍ତା ବୋଲାଏ ସେ ପାଳନା କରିବାରୁ

।।

ବକ ପରି କାର୍ଯ୍ୟ ଚିନ୍ତା କରୁଥିବ

ସିଂହ ପରି ପରାକ୍ରମବନ୍ତ ହେବ

।।

ଋଣଶେଷ, ଶତ୍ରୁଶେଷ, ଅଗ୍ନିଶେଷ

ଥିଲେ ବଢ଼ି କରି କରଇଟି ନାଶ

।।

ବିଶ୍ୱାମିତ୍ର ବୋଇଲେ ପ୍ରାଣରୁ ବଡ଼ ହୋଇ

ଜଗତରେ ଥିଲା ପରି ମୋତେ ଦିଶୁ ନାହିଁ

।।

କୁକ୍କୁର ମାଉଁସରେ ରହିବ ଯେବେ ଜୀବ

ତା ଛାଡ଼ି କେଉଁ କଥା ଲୋକ କରିଯିବ

।।

ଗୃହିଣୀ ସିନା ଗୃହିମାନଙ୍କର ଘର

ବନ ଅଟଇଟି ଗୃହିଣୀ ବିନା ଘର

।।

ଧର୍ମ ଅର୍ଥ କାମରେ ଭାରିଯା ସହାୟ

ନୋହିଲେ ପୁରୁଷର ନୋହେ ସେ ଉଦୟ

।।

ରୋଗ ହେଲେ ଭାରିଯା ଅଟଇ ଔଷଧ

ବୋଲି କହୁଛନ୍ତି ବସିଣ ବିବୁଧ

।।

ଭାରିଯା ସମ ବନ୍ଧୁ, ଭାରିଯା ସମ ଗତି

ଭାରିଯା ସମ ଧନ ନାହିଁ ହେ ଜଗତି

।।

ଯାଗ, ଦାନ, ଦୟା, ବେଦ, ସତ୍ୟ, ତପ

ଏ ଛଏ କରନ୍ତିଟି ପାତକକୁ ଲୋପ

।।

ପୁଣ୍ୟ ସୂର୍ଯ୍ୟ ସକାଶୁ ପାପ-ଅନ୍ଧକାର

ରହି ନ ପାରଇ କେବେଟି ମନେ କର

।।

ଅଜ୍ଞାନରୁ ଲୋଭ, ଲୋଭରୁ ଅଜ୍ଞାନ

ହୁଅଇ ବୋଲି ତାହା ଛାଡ଼ନ୍ତି ବିଜ୍ଞଜନ

।।

ଭୀଷ୍ମ ବୋଇଲେ ହେ ରାଗ, ଦ୍ୱେଷ, ମୋହ

ଶୋକ, ଅଭିମାନ ଏ ଅଜ୍ଞାନର ଦେହ

।।

ସମତା, ସତ୍ୟ, ଦମ, କ୍ଷମା, ଅମାତ୍ସର୍ଯ୍ୟ

ତିତିକ୍ଷା, ତ୍ୟାଗ, ଧ୍ୟାନ, ଆର୍ଯ୍ୟଭାବ, ଧୈର୍ଯ୍ୟ

।।

ଅନସୂୟା, ଲଜ୍ଜା, ଅହିଂସା, ମିଶି ତେର

ଅଟନ୍ତିଟି ଜାଣ ଏ ସତ୍ୟର ଆକାର

।।

ଶତ୍ରୁ ମିତ୍ରଠାରେ ବୁଦ୍ଧିଟି ସମାନ

ବହେ ସମତା ସେ ବୋଲାଏ ରାଜନ

।।

ଯେବେ ପାପ ଅଭ୍ୟାସ ଲୋକ ଛାଡ଼ିଦିଏ

ତେବେ ତାହା ସୁଖରେ ଅଜ୍ଞାନ ନାଶ ଯାଏ

।।

ବିଦୁର ବୋଇଲେ ହେ ସତ୍ୟ, ଶମ, ତ୍ୟାଗ

ଶ୍ରଦ୍ଧା, କ୍ଷମା, ଭାବ ବିଶୁଦ୍ଧ ଦୟା ଯାଗ

।।

ସଂଯମକୁ ମିଶି ଏ ଧର୍ମର ସଂପତ୍ତି

ବଢ଼ାଅନ୍ତି ଜାଣ ହେ ପାଣ୍ଡବ ସନ୍ତତି

।।

ସବୁ କାଳେ କୃତଜ୍ଞ ମିତ୍ର କାମୀ ହେବ

ଯେବେ ଭଲ ବୋଲଇବା ବୁଦ୍ଧିଥିବ

।।

ତୁମ୍ଭେ ଆମ୍ଭେ ଯେଉଁଠାରୁ ଆସି ଥାଇଁ

ସେହିଠାକୁ ଯିବା ସନ୍ଦେହ ଏଥି ନାହିଁ

।।

ନଦୀ ପ୍ରବାହରେ ଏକଠା କାଠି କୁଟା

ହୋଇ କ୍ଷଣ କରେ ହୁଅଇ ପୁଣି ଫିଟା

।।

ସେହି ରୂପେ ପୁତ୍ର ଭାରିଯା ସଂଗମ

କ୍ଷଣକେ ବ୍ୟର୍ଥ ହୋଇଯାଏ ହେ ନରୋତ୍ତମ

।।

ଜୀବ ଯେଉଁ ଦେହରେ କରମ କରଇ

ପୁଣି ସେହି ଦେହରେ ତା ଫଳ ଭୁଞ୍ଜଇ

।।

ସୂକ୍ଷ୍ମ ଦେହ ହୁଅଇ ଜୀବନ କାରଣ

ସ୍ଥୂଳ ଦେହ ଧରିଣ ଜନ୍ମନ୍ତି ଜୀବଗଣ

।।

ବେନି ଦେହ ସଂସାରେ ବିବିଧ ରୂପରେ

ରହି ନାଶ ପାଆନ୍ତି ଏକ ସମୟରେ

।।

ସ୍ନେହ ପାଶ ବନ୍ଧନ ବାଲି ବନ୍ଧ ପ୍ରାୟେ

କାଳ-ସ୍ରୋତ ମୁଖରେ କ୍ଷଣକେ ଭାସି ଯାଏ

।।

ସ୍ତିରୀ, ପୁତ୍ର, କୁଟୁମ୍ବ -ଅସକ୍ତିରୁ ନରେ

ନିମଜ୍ଜିତ ହୁଅନ୍ତି ଶୋକ ସାଗରରେ

।।

ସବୁ ତପ ପ୍ରତିକି ଅନଶନ ତପ

ଯେ କରୁଛି ଅତି ସେ ଅଟଇ ନିଷ୍ପାପ

।।

ସତ୍ୟରୁ ନାହିଁ ତପ, ବିଦ୍ୟାରୁ ଲୋଚନ

ନାହିଁ କିଛି ଦୁଃଖ ରାଗର ସମାନ

।।

ନିର୍ଧନ ହୋଇବାର ଅଟଇ ମହାସୁଖ

ଧନ ଥିଲେ ଅବଶ୍ୟ ପଡ଼ୁଥାଏ ଦୁଃଖ

।।

ଧନ ତ୍ୟାଗୀ ଲୋକର ଅଗ୍ନି ଚୋର ଭୟ

ହେବାର ଆଉ ଜାଣି ନ ପାରେ ହୃଦୟ

।।

ତ୍ୟାଗହିଁ ଶ୍ରେଷ୍ଠ ସୁଖ ସଂସାର ମଧ୍ୟରେ

ତ୍ୟାଗରେ ଲୋକାତୀତ ଧନ ମିଳି ପାରେ

।।

ମିଥିଲା ପୋଡ଼ିଯିବା ବେଳରେ ଜନକ

କାମ ଛାଡ଼ି ବୋଇଲେ ନାହିଁ ମୋ ଏଥି ଦକ

।।

ଆଶା ବଡ଼ କଷ୍ଟ ନିରାଶା ବଡ଼ ସୁଖ

ପିଙ୍ଗଳା ଆଶା ଛାଡ଼ି ପାଇଲା ମହାସୁଖ

।।

ପଟ ସଙ୍ଖା ବହି କୁମାରୀ ଧାନ କୁଟି

ସ୍ୱଇଚ୍ଛାରେ ମହା ସୁଖକୁ କଲା ଲୁଟି

।।

ଚନ୍ଦ୍ର, ସୂର୍ଯ୍ୟ, ନୟନ, ଆକାଶ, ଉଦର

ପର୍ବତ, ଅସ୍ଥି, ନଦୀ, ଶରା, ସ୍ୱର୍ଗ, ଶିର

।।

ସମୁଦ୍ର, ରକ୍ତ, ମହୀପାଦ, ଦିଗ ଭୁଜ

ଗନ୍ଧବହ ନିଶ୍ୱାସ, ହୁତାଶନ ତେଜ

।।

ଅଟନ୍ତି ସେ ଜାଣ ହେ ଅଚିନ୍ତ୍ୟ ଅବ୍ୟୟ

ବିଶ୍ୱ ବ୍ୟାପୀ ଅନନ୍ତ ସର୍ବ ଭୁତାଶ୍ରୟ

।।

ଦେଖିଛ ତ ଅଗ୍ନି ଲାଗିଲା କାଠ ପୋଡ଼ି

ଆନ କାଠ ଭିତରେ ରହଇ ଯାଇ ବୁଡ଼ି

।।

ସେ ରୂପରେ ଏ ଜୀବ ଛାଡ଼ି ଏ ଦେହକୁ

କରଇ ଯାଇ ଆଶ୍ରା ଆନ ଶରୀରକୁ

।।

ଦେହରେ ଯେଉଁ ଅଗ୍ନି ଧରିଅଛି ପ୍ରାଣ

ଜୀବ ବୋଲି କରି ତାହାକୁଟି ଜାଣ

।।

ସେ ଅଗ୍ନି ଯେତେବେଳେ ଭଜଇ ବିନାଶ

ତେତେବେଳେ ଜାଣ ଶରୀର ହୁଏ ନାଶ

।।

ଜୀବକୁ ପ୍ରତି ମନ ଅଟଇ ପ୍ରଧାନ

ଯହିଁ ଥାଏ ମନ ତହିଁକି ହୋଏ ଜ୍ଞାନ

।।

ମିଥ୍ୟା ଅଜ୍ଞାନର ସ୍ୱରୂପ ଅଟଇ

ଅଜ୍ଞାନ ସକାଶରୁ ନରକ ହୁଅଇ

।।

ସବୁ ଆଶ୍ରମରେ ଗୃହସ୍ଥ ଶ୍ରମ ମୂଳ

ଆଉ ତିନି ଆଶ୍ରମ ଗଣ୍ଡି, ଡାଳ, ଫଳ

।।

ଏକା ହୋଇ ଧର୍ମ କରୁଥିଲେ ନର

ପ୍ରାନ୍ତେ ଧର୍ମ ସାଥିଟି ହୁଅଇ ମନେ କର

।।

ଶରୀର ନାଶ ଗଲେ ଆତ୍ମା ନୋହେ ନାଶ

ହୋଏ ସେ ଅମାବାସ୍ୟା ଶଶୀର ସଦୃଶ

।।

ଅମାବାସ୍ୟା ବାହାରେ ପ୍ରକାଶ ଚନ୍ଦ୍ର ପରି

ଆତ୍ମା ପ୍ରକାଶଟି ହୁଅଇ ରୂପ ଧରି

।।

ଅଜ୍ଞାନରୁ ବିଷୟ ପ୍ରବର୍ତ୍ତି ଲୋକ ହୋଏ

ଆତ୍ମାକୁ ଦେଖିବାର ବହୁତ କଷ୍ଟ ହୋଏ

।।

ବିଷୟକୁ ଜୀବ ଛାଡ଼ିଲେ ପବିତ୍ରାତ୍ମା

ହୁଅଇଟି ଜାଣ ହେ ଜୀବମହାତ୍ମା

।।

ପାପ ସକାଶରୁ ବିଷୟ ନିବୃତ୍ତି

କରି ନ ପାରଇ ଭଜି ନର ମୂର୍ତ୍ତି

।।

ପାପ ନାଶ ଗଲେ ତୃଷ୍ଣା ନାଶ ଯାଏ

ଆତ୍ମାକୁ ଭଜିଲୋଟି ସିଦ୍ଧି ତାର ହୋଏ

।।

ପାପ କର୍ମ କ୍ଷୀଣ ହୋଇ ହେଲେ ଜ୍ଞାନ

କରଇଟି ଲୋକ ଆତ୍ମାକୁ ଦରଶନ

।।

ବିଷୟରୁ ଇନ୍ଦ୍ରିୟ ନିବର୍ତ୍ତଇ ଯେବେ

ଜାଣ ଲୋକ ମହାସୁଖ ପାଏ ତେବେ

।।

ମନ ଯେବେ ବୃତ୍ତି ରହିତ ହୁଅଇ

ବ୍ରହ୍ମକୁ ଯାଇ ଜାଣ ଅବଶ୍ୟ ଲଭଇ

।।

ଜୀବନ, ରୂପ, ଧନ, ଆରୋଗ୍ୟ, ପ୍ରିୟ ବାସ

ଏଥିରେ କଦାଚିତେ ନୋହିବ ଲାଳସ

।।

ଦେଶ ଯାକକୁ ଯେବେ ପଡ଼ିବ ବିପତ୍ତି

ଜଣେ ନ ଭାବିବ ହେବାକୁ ତାହା ଶାନ୍ତି

।।

ସୂତ୍ରରେ ମଣି, ମୁକ୍ତା, ସୁନା, ଥିଲା ପରି

ଆତ୍ମା ରହି ଅଛିଟି ସବୁରି ଦେହେ ପୂରି

।।

କାଳ ସ୍ୱରୂପଟି ଅଟନ୍ତି ଭଗବାନ

କାଳର ଆଦି, ଅନ୍ତ, ମଧ୍ୟ ନାହିଁ ଜାଣ

।।

ପରଂବ୍ରହ୍ମ, ପରମଧାମ ବୋଲି କରି

ବିଷ୍ଣୁଙ୍କୁଟି ଜାଣ ଆହେ ନର ସାଇଁ

।।

ସୁକୃତିମାନଙ୍କର ଗତି ନାରାୟଣ

ଦେଖିଲେ ତାଙ୍କୁ ମୋକ୍ଷ ହୁଅନ୍ତି ସେ ଜାଣ

।।

ନାରାୟଣ ସର୍ବ ରୂପୀଟି ଅଟନ୍ତି

ଈଶ୍ୱର ବୋଲି କରି ତାହାଙ୍କୁ କହନ୍ତି

।।

ନବଦ୍ୱାର ପୁରରେ ପୁରି ଶୋଇବାରୁ

ବୋଲନ୍ତିଟି ପୁରୁଷ ପ୍ରଦ୍ୟୁମନ ଗୁରୁ

।।

ସବୁ ପ୍ରାଣିଠାରେ ଜ୍ଞାନକୁ ପ୍ରକାଶ

କରୁଛନ୍ତି ହୃଦରେ ରହି ଯଦୁ ଈଶ

।।

ଆଳସ୍ୟ କରି ନିତ୍ୟ ନୈମିତ୍ତିକ କର୍ମ

ଯେ ଛାଡ଼ୁଛି ତାହାର ହେଉଛି ଅଧର୍ମ

।।

ଦ୍ରବ୍ୟ ତ୍ୟାଗ କଲେ ଯାଗ ସିଦ୍ଧ ହୁଏ

ଭୋଗ ତ୍ୟାଗ କଲେ ବ୍ରତ ସିଦ୍ଧି ପାଏ

।।

ସୁଖ ତ୍ୟାଗେ ତପ ଯୋଗକୁ ଲଭଇ

ସର୍ବ ତ୍ୟାଗ କଲେ ସଂସାର ତରଇ

।।

ଲକ୍ଷ୍ମୀ ବୋଇଲେ ହେ ସତ୍ୟ ଦାନ ଧର୍ମ

ତପ, ବ୍ରତ, ନିଷ୍ଠା, ରୁଚି ପ୍ରରାକ୍ରମ

।।

ଯାହାଠାରେ ଥାଏ ତା କାୟେ ମୁଁ ଥାଏ

ଅନ୍ୟାୟ ଆଚରଣ କରିବା କ୍ଷଣି ଯାଏ

।।

ଆପଣା ସାମର୍ଥକୁ ଚାହିଁ ଦେଉଥିବ

ଯେ ମିଳିବ ତା ଖାଇ ଉଦର ତୋଷିବ

।।

ପ୍ରାଣିଙ୍କ ହିତଲାଗି ଯେ ଦିଏ ଜୀବନ

ସାତ୍ତ୍ୱିକ କର୍ମ ଗୁଣେ ଅଟେ ସେ ବ୍ରାହ୍ମଣ

।।

ବ୍ରହ୍ମଲୋକ ଯିବାକୁ ଯୋଗ ରଥ ଅଛି

ତା ବସିବା ସ୍ଥାନ ଧର୍ମଟି ହୋଇଛି

।।

ଲଜ୍ଜା ସେ ରଥଟିର ଅଟଇ ରକ୍ଷାକର

ଉପାୟ ତ୍ୟାଗଟି ଟି ଅଟଇ ଯୁଗନ୍ଧର

।।

ଅପାନ ଅଖ, ପ୍ରାଣ ଯୁଗ ପ୍ରାଜ୍ଞଯୋତା

ଚେତନାଟି ସାରଥି, ସ୍ଥାନ ନେଜ ବେତ୍ତା

।।

ଇନ୍ଦ୍ରିୟ ସଂଯମଟି ତା ନେମି ଅଟଇ

ପ୍ରାଣ ଚକ୍ଷୁ ଶ୍ରବଣ ଚର୍ମ ଘୋଡ଼ା ବହି

।।

ଥାଆନ୍ତିଟି ଜ୍ଞାନ ସାରଥିର ବଳେ

ଜୀବକୁ ବହି ବ୍ରହ୍ମଲୋକକୁ ବୋଲି ଚଳେ

।।

ଏ ରୂପେ ଯୋଗରଥ ଚଢ଼ିବାପାଇଁ ଯୋଗୀ

ଏ ସଂସାର କଥାରେ ହୁଅନ୍ତି ବୀତରାଗୀ

।।

ଯୋଗରଥ ଚଢ଼ିବା ଇଚ୍ଛା ଯେବେ ଥିବ

ଇନ୍ଦ୍ରିୟଙ୍କ ନିଗ୍ରହ ଧାରଣା ଧରିବ

।।

ମନ-ଦୀପରେଟି ବ୍ରହ୍ମାଙ୍କୁ ହୋଏ ଦେଖି

କଦାଚିତେ ଦେଖି ନ ପାରଇ ଆକ୍ଷି

।।

ଜଙ୍ଗମ ସ୍ଥାବରାଦି ଦେହରେ ପରମାତ୍ମା

ବ୍ୟାପି ରହିଛନ୍ତି ଜାଣ ହେ ମହାତ୍ମା

।।

ସବୁ ପ୍ରାଣୀ ଶରୀରେ ଦେଖଇ ଯେ ବ୍ରହ୍ମକୁ

ବ୍ରହ୍ମକୁ ପାଇବାକୁ ନିଃସନ୍ଦେହ ତାକୁ

।।

ବ୍ରହ୍ମରୁ ସୂକ୍ଷ୍ମସ୍ଥୂଳ ନାହିଁ ଏ ସଂସାରେ

ହସ୍ତ, ପାଦ, ଚକ୍ଷୁ ତାଙ୍କର ସବୁଠାରେ

।।

ଯେଉଁ ଲୋକ ପରମ ବ୍ରହ୍ମକୁ ପାଅଇ

ଜନ୍ମ ମୃତ୍ୟୁ ଦୁଇ ତାହାର ନୁହଇ

।।

ସୁନା ମାଟିଙ୍କରେ କରିବ ସମବୁଦ୍ଧି

କସା ପିତା ଖାଇ ରହିବ ତପୋନିଧି

।।

ଋତ୍ୱିକ, ପୁରୋହିତ, ଆଚାର୍ଯ୍ୟ, ମାତୁଳ

ଅତିଥି, ବୃଦ୍ଧାତୁରୀ, ଚିକିତ୍ସକ, ବାଳ

।।

ସମ୍ବନ୍ଧୀ, ଜ୍ଞାତି, ବନ୍ଧୁ, ମାତା, ପିତା, ଭ୍ରାତା

ଦୁହିତା, ପୁତ୍ର, ଦାସ, ଆପଣା ବନିତା

।।

ତୁଲରେଟି ଜାଣିବା ଜନ ଯେ ହୋଇବ

କଦାଚିତେ ବିବାଦ କଥା ନ କରିବ

।।

ବୋଇଲେ କୁମାର୍ଗିଙ୍କ ଅଟଇ ହିଂସାବିଧି

ଲେଖିନାହିଁ ଏହା ମୋକ୍ଷ ଶାସ୍ତ୍ରେ ବିଧି

।।

କାମନା କରି ପଶୁ ମାରଇ ଯେଉଁ ନର

ଅଳପ ସୁଖ ପାଇ ନରକେ କରେ ଘର

।।

ଯାଗରେ ବେକ ମୋଡ଼ି ମାଉଁସ ହାଡ଼ ଦୁଇ

ରଗଡ଼ାନ୍ତି ଗାଈର ଦ୍ୱିଜେ ଯା ବାଇ ହୋଇ

।।

ଏଥିରୁ ଅଧରମ ହୋଇ କରି କଥା

ମହୀରେ ଥିବ ବୋଲି ଲେଖି ନାହିଁ ପୋଥା

।।

ସୁରା, ମାଛ, ମହୁ, ଖେଚଡ଼ି, ମାଉଁସ

ଦୁଷ୍ଟ ଲୋକ ସକାଶୁଁ ହୋଇଛି ପ୍ରକାଶ

।।

କାମ, ମୋହ, ଲୋଭ ଥିବା ଲୋକଙ୍କର

ଅଟଇ ସବିଚ୍ଛିନ୍ନେ ଏମାନେ ଆହାର

।।

କ୍ଷୀରୀ ବାଢ଼ି ବିଷ୍ଣୁଙ୍କ ସମୀପେ ନାନା ପୁଷ୍ପ

ଦେଇ ପୂଜା କଲେ ହୁଅଇ ନିଷ୍ପାପ

।।

ତହୁଁ ସ୍ୱର୍ଗଲୋକେ ବସଇ ସୁଖେ ଯାଇ

ଏହା ଛାଡ଼ି ଯାଗ କରନ୍ତିଟି ବାଇ

।।

ଭୀଷ୍ମ ବୋଇଲେ ହେ ଅସମୟ କାଳେ

ହିଂସା କର୍ମ କରି ପୋଷିବ ଜୀବ ବଳେ

।।

ଯେତେବେଳେ ବିପତ୍ତି ଅଲଗା ହୋଇଯିବ

ତେତେବେଳେ ହିଂସା କର୍ମକୁ ଛାଡ଼ିବ

।।

ପାପ କଥା ଆଶ୍ରା ନ କରି ସାଧୁମାର୍ଗ

ଆଚରି ବ୍ୟୟ କରୁଥିବ ଧନ ବର୍ଗ

।।

କାମ, କ୍ରୋଧ, ମଦ, ମାତ୍ସର୍ଯ୍ୟ ଲୋକଙ୍କର

ଧର୍ମ ବୁଦ୍ଧି ଜାଣ ହରୁଛି ନିରନ୍ତର

।।

ଧନ ଥିଲେ ସୁଖ କଳାଟିଏ ଥାଏ

ଧର୍ମ କଲେ ଷୋଳ କଳା ଭୋଗ ପାଏ

।।

ଲୋକର ଧନ ଯେତେ ବଢ଼ୁଥାଏ ନିତି

ତୃଷ୍ଣା ତେତେ ବଢ଼ୁଥାଏ ହେ ନରପତି

।।

ରକତ, ମୁତ୍ର, ବିଷ୍ଠା ସମ୍ମିତ ଏ ଦେହ

ବୋଲି ଯେ ଜାଣଇଟି ନୁହଇ ତାର ମୋହ

।।

ମନରେ ବଚନରେ ନୟନରେ ଯାହା

କରିଥାଏ ଭୋଗ ହୁଅଇଟି ତାହା

।।

ସୁକୃତ, ଦୁଷ୍କୃତ କ୍ଷୟାକ୍ଷୟ ହୋଇ

ପୁନଃ ପୁନଃ ଭୋଗ ହୁଅଇ ନରସାଇଁ

।।

ଦମ, କ୍ଷମା, ଧୃତିମନ୍ତ, ସତ୍ୟବାଦୀ

ହେଲେ ଲୋକ ସୁଖ ପାଏ ନିର୍ବିବାଦୀ

।।

ପାପ କଲେ ଯେବେ ଧନ ବୃଦ୍ଧି ହେବୁ

ଜାଣିବା ଜନ ତାହା କେବେ ନ କରିବ

।।

କେ କାହାକୁ ଉପକାର ନ କରଇ

କେ କାହାକୁ ଦେବାକୁ ସମର୍ଥ ନୁହଇ

।।

ସବୁକଥା ଯାକରେ ଈଶ୍ୱର କାରଣ

ମୁଁ କଲି ବୋଲିବାର ବ୍ୟର୍ଥ ଅଟେ ଜାଣ

।।

ନ୍ୟାୟରେ ଯେଉଁ ଧନ ହେବ ପରାପତି

ବଢ଼ାଇବ ସେ ଧନ ଦେଇ କରି ମତି

।।

ସାମର୍ଥ୍ୟକୁ ଚାହିଁ ସବୁ କାର୍ଯ୍ୟ ଯାକ

କରୁଥିବ ହୃଦୟରୁ ଛାଡ଼ିଦେଇ ଦକ

।।

ପାଳନା କଲେ ଭୃତ୍ୟମାନେ ତୋଷୀ ହୋଇ

ରହନ୍ତି ପାଖେ କାନ୍ଧେ ଖଣ୍ଡାକୁ ପକାଇ

।।

ବ୍ରହ୍ମା ସରଜନା ରଜାଙ୍କୁ କରିଛନ୍ତି

ସବୁ ପ୍ରାଣୀ ପାଳିବା ପାଇଁ ହେ ନରପତି

।।

ଧର୍ମ ଥିଲେ ସବୁ ପ୍ରାଣିଏ ସୁଖ ପାଇ

ଦିନକୁ ହରୁଥାନ୍ତି ଭୟକୁ ନ ବହି

।।

ପ୍ରଜାଏ ସୁଖ ଯେବେ ପାଆନ୍ତି ରଜା ଘେନି

ସେ ରଜାକୁ ପୂଜନ୍ତି ସ୍ୱର୍ଗରେ ସୁରମଣି

।।

ନ୍ୟାୟ-ଧନ କଡ଼ାକୁ ଅନ୍ୟାୟ-ଧନ ଶଏ-

ଟଙ୍କା ସରି ନୋହେ ଜାଣ ନରରାୟେ

।।

ନିର୍ଗୁଣ ଲୋକଙ୍କର ପିତା ପୁତ୍ର ମାତା

କଳତ୍ରାଦି ମଧ୍ୟ ନ ପକାନ୍ତି ଚିନ୍ତା

।।

ଲୋକମାନଙ୍କର ପରମ ଦେବତା

ଅଟଇ ହେ ରାଜନ ଜାତ କଲା ପିତା

।।

ପିତାକୁ ପ୍ରତି ମାତା ଅଧିକ ଅଟଇ

ଗୌରବରେ ଜାଣ ହେ ଜନକ ନରସାଇଁ

।।

ମନୁଷ୍ୟ ଜନ୍ମକୁ ଯେ ନିନ୍ଦା କରିଥାଏ

ଧର୍ମ ଜାଣ ତାର ଦେହରୁ ଛାଡ଼ି ଯାଏ

।।

ମନୁଷ୍ୟ ଜନ୍ମ ହେଲେ ତୀର୍ଥ ବ୍ରତ କରି

ଅନ୍ତକାଳେ ଯାଇ ବସିବ ସ୍ୱର୍ଗପୁରୀ

।।

ଯେତେ ଦାନ ପୁଣ୍ୟ ଜଗତରେ ଅଛି

ମନୁଷ୍ୟ ଜନ୍ମ ପାଇ ଲୋକତା କରୁଛି

।।

କଳତ୍ର, ଧନ, ଜନ, ଛାଡ଼ଇଟି ନର

ସ୍ୱର୍ଗକୁ ଯିବା ବୁଦ୍ଧି ହୃଦରେ କରେ ଘର

।।

ଅକ୍ଷମାବନ୍ତ ଲୋକ ପ୍ରତି କି କ୍ଷମା ବନ୍ତ

ଲୋକର ଧରମଟା ଅଟଇ ପରବତ

।।

ଗାଳି ଦେଲେ, ମାଇଲେ, ବାନ୍ଧିଲେ ଯେ ପାପ

ନ ଇଚ୍ଛଇ ଜାଣ ସେ ଅଟଇ ନିଷ୍ପାପ

।।

ଲୋକଙ୍କୁ ଯେ ଅବଜ୍ଞା କରଇ ତାର ନାଶ

ଏ ଜଗତ ମଧ୍ୟରେ ହୁଅଇ ପ୍ରକାଶ

।।

ଲୁଗାକୁ ଯେଉଁ ରଙ୍ଗେ ରଙ୍ଗୀ ସେ ସେହି ରଙ୍ଗ

ହେଲା ପରି ହୋଏ ଲୋକରଟି ସଙ୍ଗ

।।

ସବୁକାଳେ ଦେବେ ସାଧୁ ସଙ୍ଗ ଇଚ୍ଛା

କରନ୍ତିଟି ଜାଣ ଏ କଥା ଗୋଟି ବଛା

।।

ହଂସ ବୋଇଲେ ହେ ଅଜ୍ଞାନେ ଆବୃତ

ହେଉଅଛି ଜାଣ ଏ ମଧ୍ୟ ଜଗତ

।।

ମାତ୍ସର୍ଯ୍ୟ ସକାଶରୁ ନୋହିଛି ପ୍ରକାଶ

ମିତ୍ରଙ୍କୁ ଛାଡ଼ୁ ଅଛି ପାଇ ଲୋଭ-ଫାଶ

।।

ଦୁଃସଙ୍ଗ ସକାଶରୁ ନୋହୁଅଛି ସ୍ୱର୍ଗ

ଅନ୍ତକାଳେ ଭୋଗ କରଇ ଦୁଃଖ ଭାଗ

।।

ସୃଷ୍ଟି ସ୍ଥିତି ସଂହାର କରିବା କରତା

ବୋଲଅନ୍ତି ନାରାୟଣ ଯେ ଦେବତା

।।

ପୁଣ୍ୟ ପାପ କଲେ ମନୁଷ୍ୟ ଜନ୍ମ ହୋଏ

କେବଳ ପୁଣ୍ୟ କଲେ ଦେବତା ବୋଲାଏ

।।

ଜ୍ଞାନ ଶୂନ୍ୟ ହେବାରୁ ଜୀବର କୋଟି ଜନ୍ମ

ହେଉଅଛି ହେଉ ନାହିଁ ପୂର୍ଣ୍ଣ କାମ

।।

ଭାର୍ଯ୍ୟା, ପୁଅ, ବନ୍ଧୁ ବାଟ ସାଥୀ ପରି

ଥାଆନ୍ତି ଆଶ୍ରେ କରି ଜାଣହେ ଦଣ୍ଡଧାରୀ

।।

ଅନ୍ତକାଳେ କେହି ନୁହନ୍ତି କାହାର

ସେ କାଳେ ସାଥୀ ଏକା ସୁକୃତ ମନେ କର

।।

ଜନ୍ମ ହେଲେ ସୁଖ ମରଣରେ ଦୁଃଖ

ନ କରିବ ହେବ ଯେ ପଣ୍ଡିତ ଶିଖ

।।

ସ୍ୱର୍ଗ ନରକକୁ କେ ନୟନେ ଦେଖି ନାହିଁ

କରୁଥିବ ଧର୍ମ ଶାସ୍ତ୍ରକୁ ଅନାଇଁ

।।

ଜ୍ଞାନନିଷ୍ଠା, କର୍ମନିଷ୍ଠା ତ୍ୟାଗନିଷ୍ଠା

ମୋକ୍ଷରେ ଏ ତିନି ହେଁ ପ୍ରଧାନ ପ୍ରତିଷ୍ଠା

।।

ଦେହରେ କାହାରଟି ନାହିଁ ଅଧିକାର

ବିଚାରିଲେ ଅଟଇ ସେ ମୃତ୍ୟୁ ଦେବତାର

।।

ଏ ଦେହଟି ଫେନ ପରାୟେ ଅଟଇ

ଏହାକୁ ସ୍ଥିର ବୋଲି ଭାବ କାହିଁ ପାଇଁ

।।

ଯେଉଁ ଧନ ପାଇଲେ ତିନି ଲୋକ ଭୁତି

ବିରାଗ ଜନମିବ ତା ଅର୍ଜ ବହି ପ୍ରୀତି

।।

ଶୁଭା ଶୁଭ କରମ ବିନା ମଲେ ଆନ

ସଙ୍ଗ ନୁହଇଟି ଜାଣ ହେ ନନ୍ଦନ

।।

ଅଷ୍ଟରତ୍ନ ମଣ୍ଡିତ ପୁର କରିଥିଲେ

ନ ଯାଏଟି ସେ ଜାଣ ସଙ୍ଗତରେ ମଲେ

।।

ଏ ସଂସାର-ରଜ୍ଜୁ ସୁକୃତ-କତୁରୀରେ

କତୁରା ହୁଅଇଟି ନୁହଇ ଆନରେ

।।

କାଲି ଯାହା କରିବା ସେ କଥାଟି ଆଜି

କରୁଥିବ ମନରୁ ଦୁଃଖକୁ ବରଜି

।।

ମୃତ୍ୟୁ କେଉଁ ଦିନ ନେବଟି ଜୀବନ

ଏହା ଜାଣିବାକୁ ନାହିଁ କେଉଁ ଜନ

।।

ସ୍ୱର୍ଗର ସୋପାନଟି ମନୁଷ୍ୟ ଜନମ

ପୁଣ୍ୟ କଲେ ବାବୁ ହୋଇବ ପୂର୍ଣ୍ଣ କାମ

।।

କେହି କାହାରଟି ନୁହଇ କୁମର

ସୁକୃତ ଏକା ମୋର ବୋଲି ମନେ କର

।।

ଧନ ଥିବା ଯାକ ଅମିତ୍ର ମିତ୍ର ହୁଏ

ଧନ ହୀନ ହେଲେ ମିତ୍ର ଛାଡ଼ି ଯାଏ

।।

କର୍ମ ଭୁମି ବୋଲି ଏ ମହୀକି ଜାଣି

ଆଚରଣ କରୁଥିବ ପୁଣ୍ୟ ଶ୍ରେଣୀ

।।

ଗଲା କଥାକୁ ଯେ କରୁଥାଏ ଶୋକ

ତାକୁ କେହି ନ ବୋଲନ୍ତି ଭଲ ଲୋକ

।।

ଯଉବନ, ସୁନ୍ଦରପଣ, ଧନ, ରତ୍ନ-

ଠାରେ ପଣ୍ଡିତେଟି ନ କରନ୍ତି ଯତ୍ନ

।।

ରଜା ହେଲା ଲୋକକୁ ରୋଗ ନ ଡ଼ରଇ

ଏ ସକାଶୁ ସଂପତ୍ତିରେ କାର୍ଯ୍ୟ ନାହିଁ

।।

ଜନ୍ମ ମରଣକୁ ଥିଲେ ଅଉଷଧ

ମର୍ତ୍ତ୍ୟ ଲୋକେ ହେଉ ଥାଆନ୍ତେ ବିବୁଧ

।।

ଭୋଗ କରିବାକୁ ସବୁରି ଇଚ୍ଛା ଥାଏ

ବିଧାତା ଯା କରୁଥାଏ ତା ହେଉଥାଏ

।।

କେ ଘୋଡ଼ା ଚଢ଼ୁଅଛି, କେ ଘୋଡ଼ା ପରିଡ଼ା

ଘୋଡ଼ା ବାଗ ଧରି ଆଗରେ ହୋଏ ଛିଡ଼ା

।।

ଧନ ଥାଇ ଶତ ରାଣ୍ଡ ଘରେ ରଖି

ତାଙ୍କ ମୁହ-ଦେଖି ହେଉଥାନ୍ତି ଦୁଃଖୀ

।।

ଏହି ସକାଶରୁ ଛାଡ଼ି ସବୁ କଥା

ଭାବନା କର ବ୍ରହ୍ମ ଫେଡ଼ିବେ ମନ ବ୍ୟଥା

।।

ଏ ତିନି ଲୋକେ ଯେତେ ପ୍ରାଣୀ ରହିଛନ୍ତି

ସବୁରି ତାତ ମାତ ବ୍ରହ୍ମଟି ଅଟନ୍ତି

।।

ନାରାୟଣ ଦେବଙ୍କୁ ଶରଣ ତୁମ୍ଭେ ପଶ

ସେହି ପୁଣି ତୁମ୍ଭଙ୍କୁ ଦେବେ ସ୍ୱର୍ଗ ବାସ

।।

ବିଷ୍ଣୁଙ୍କୁ ସେବା କରି ପାଇଲେ ବ୍ରହ୍ମଲୋକ

ଏଣୁ ଧର୍ମ ଜାଣ ଅଟଇ ଅଧିକ

।।

ପଞ୍ଚ ମହାଭୁତରେ ରହିଲେ ଆତ୍ମା ଯାଇ

ଜନ୍ମ ହେଲା ବୋଲି ବଚନ ବାହାରଇ

।।

ସେହି ଆତ୍ମାଟିକି ବୋଲଇ ସଂକର୍ଷଣ

ବିଷ୍ଣୁ ବୋଲି କରି ନାରଦ ଋଷି ଜାଣ

।।

ପ୍ରଳୟରେ ପ୍ରାଣିଏ ସଂକର୍ଷଣ ଦେହେ

ରହନ୍ତିଟି ଜାଣ ନ ପଡ଼ ତୁମ୍ଭେ ମୋହେ

।।

ସୂର୍ଯ୍ୟଙ୍କର ଉଦୟ ଅସ୍ତ ହେଲା ପରି

ସୃଷ୍ଟି ସଂହାରକ ପାଳକ ତପଶ୍ଚାରୀ

।।

ଯେଉଁମାନେ ବିଷ୍ଣୁଙ୍କୁ କରୁଥାନ୍ତି ଧ୍ୟାନ

ସୂର୍ଯ୍ୟ ଦ୍ୱାର ହୁଅନ୍ତି ଜାଣ ତପୋଧନ

।।

ଏକାନ୍ତ ଭକ୍ତିରତ ହୋଇଲେ ଲୋକ ଯାକ

ସତ୍ୟ ଯୁଗ ହେବ ହେ ଅବନୀ ନାୟକ

।।

ନାରାୟଣଙ୍କର ଅନୁଗ୍ରହ ଥିଲେ

ସାତ୍ତ୍ୱିକ ଧର୍ମ ଲୋକ ଆଚରଇ ଭଲେ

।।

ଯେ ଯେଉଁ ଧରମକୁ ଆଚରଣ କରେ

ସେ ଧର୍ମକୁ ସେ ବଡ଼ ଘେନଇ ମନରେ

।।

ରାଜା ଲୋକ ପାଳି, ଭୃତ୍ୟ ଆଜ୍ଞାକାରୀ

ହୋଇଲେଟି ଧର୍ମ ଅଛି ବୋଲି ପାରି

।।

ଲକ୍ଷ୍ମୀ ବୋଇଲେ ଗୋ ଯାହା ପଚାରୁଛ

ତା କହିବା ଶୁଣ ହୃଦ କରି ସ୍ୱଚ୍ଛ

।।

ସତ୍ୟବାଦୀ, ଅନଳସ, ଅକ୍ରୋଧନ

କାର୍ଯ୍ୟଦକ୍ଷ, କୃତଜ୍ଞ, ଜିତେନ୍ଦ୍ରିୟ, ଜନ

।।

ମାନଙ୍କର କାନ୍ଧରେ ଥାଏ ମୁଁ ନିରତ

ମୋତେ ସେ ରଖିଥାନ୍ତି ଏକା ଏ ବରତେ

।।

ଅକର୍ମଶୀଳ, ନାସ୍ତିକ, କୃତଘ୍ନ ଭିନ୍ନ ବୃତ୍ତ

ସଙ୍କରକାରୀ, ଚୋର, ଅତିକ୍ରୁରଚିତ୍ତ

।।

ଏମାନଙ୍କ ଠାରେ ନ ରହେ ମୁଁ କେବେ

ମତେ ସେ ରଖି ନ ପାରନ୍ତି ଜାଣ ଭାବେ

।।

ପ୍ରାଣୀନାଶ, ଚୌର୍ଯ୍ୟ ପରସ୍ତ୍ରୀ ଗମନ

ଏ ତିନୋଟି କାୟିକ ପାପ ବୋଲି ଘେନ

।।

ଦୁଷ୍କଥା, ନିଷ୍ଠୁରତା, ଖଚ, ମିଥ୍ୟାଚାରୀ

କଥା ବାଚନିକ ପାପ ହେ ଦଣ୍ଡ ଧାରୀ

।।

ପର ଦ୍ରବ୍ୟ, ସ୍ପୃହା, ଅନିଷ୍ଟ ଚିନ୍ତନ

ନାପ୍ତିକତା, ମାନସ ପାପ ଏ ବୋଲି ଜାଣ

।।

କୃଷି କର୍ମେ ଅରଜି ଅତିଥିଙ୍କ ପୂଜା

ଯେଉଁ ଲୋକ କରେ ସେ ସ୍ୱର୍ଗେ ପାଏ ପୂଜା

।।

ମଙ୍ଗଳାଚାରଯୁକ୍ତ, ଧୀର, କ୍ଷମାବନ୍ତ

ପରଦାର, ମଦ୍ୟ, ମାଂସ ବିନିବୃତ୍ତ

।।

ଆଶ୍ରମ, ଗୃହ, ଦେଶ, ନଚାର କାରକ

ବସ୍ତ୍ର, ଆଭରଣ, ଅନ୍ନାଦି ଦାୟକ

।।

ସର୍ବ ହିଂସା ନିବୃତ୍ତି, ସହସ୍ର ରକ୍ଷକ

ଜିତେନ୍ଦ୍ରିୟ, ମାତା ପିତାଙ୍କ ସେବକ

।।

ଭ୍ରାତୃ ସ୍ନେହୀ, ରସ, ବୀଜ, ଧାନ୍ୟ ଦାତା

ସୁବର୍ଣ୍ଣ, ଗାଈ, ଯାନ, ବାହାନ, ବସ୍ତ୍ର ଦାତା

।।

ବଳବନ୍ତ, ଆଡ଼୍ୟ, ଗୃହ, ଭୁମିଦାତା

ସର୍ବ ଭୁତାଶ୍ରୟ, ଆରାମ, କୁପକର୍ତ୍ତା

।।

ଏମାନେ ମଲେ ସ୍ୱର୍ଗେ ପାଆନ୍ତି ପୂଜା ଯାଇ

ଏ କଥାରେ ରାଜନ ସନ୍ଦେହ କିଛି ନାହିଁ

।।

ଅନ୍ଧ, ଛୋଟା, ଜଡ଼ ପଦାର୍ଥ ଯେ ଖାଏ

ବସିଲା ଠାରେ ରାୟେ ସେ ବ୍ରହ୍ମହତ୍ୟା ପାଏ

।।

ବିପତ୍ତିରେ ଲୋକକୁ ଦୟା କରିବାର

ଏହିଟି ବଡ଼ଦାନ ରାଜନ ମନେ କର

।।

ଦରିଦ୍ର ଲୋକର ଯେ ଦରିଦ୍ରତା ହରେ

ତା ସୁକୃତ କହିଲେ ନୋହିବ ବଚନରେ

।।

ଦ୍ରବ୍ୟ ସଞ୍ଚୟକୁ ବ୍ରାହ୍ମଣ ଯେବେ କରେ

ଗରିବ ମୋହ ଘେନି ପଡ଼ଇ ନରକରେ

।।

ଭୀଷ୍ମ ବୋଇଲେ ହେ ଅନ୍ନ, ଜଳ ଦାନ

ଦାନ ଯା କରେଟି ଅଟଇ ମଣ୍ଡନ

।।

ଛାତ୍ର, ଶିଷ୍ୟ ବିନା ଆନ ଦେହେ ମାଡ଼

ମାଇଲେ ରାଜନ ହେ ହୁଅଇ ଦୋଷ ବଡ଼

।।

ଅଶୁଦ୍ଧ ଦ୍ରବ୍ୟ ଲୋକ ଶୁଦ୍ଧ ବୋଲି ଆଣି

ଦେଲେ ତାହା ଘେନିଲେ ଦୋଷରେ ନ ଘେନି

।।

ଯେଉଁ ଲୋକ ଦିଅଇ ସେ ଲୋକ ଯାଏ ନାଶ

ଘେନି ବା ଲୋକରଟି ବଢ଼ଇ ଆୟୁ ଯଶ

।।

ସତ୍ୟକୁ ଆଚରଣ ମାନସ ତୀର୍ଥେ ସ୍ନାନ

କରିବ ଯେ ହୋଇବ ଜାଣିବାବନ୍ତ ଜନ

।।

ମମତା ଅହଙ୍କାର ଯାହା ଠାରେ ନାହିଁ

ତୀର୍ଥ ବୋଲି କରି ତାହାକୁଟି କହି

।।

ଇନ୍ଦ୍ରିୟ ନିଗ୍ରହକୁ ଲୋକର ତୀର୍ଥ ସ୍ନାନ

ସରି ନୋହେ ଜାଣହେ ପାଣ୍ଡବ ରାଜନ

।।

ମନ ଶୁଦ୍ଧି ଚରିତ୍ର ଶୁଦ୍ଧି କି ଜ୍ଞାନ ଶୁଦ୍ଧି

ପଥିକ ବୋଲି କରି କହିଛନ୍ତି ବିଧି

।।

ଅନ୍ନ ଦାନ ନ ଦେବା ଦିନଟିକି ବ୍ୟର୍ଥ

କରି ମଣୁଥିବ ଯେ ହେବ ନରନାଥ

।।

ଯୁଧିଷ୍ଠିର ବୋଇଲେ ଅହିଂସା ଇନ୍ଦ୍ରିୟ

ସଂଯମ ତପ ଗୁରୁ ସେବାରେ କେ ଶ୍ରେୟ ?

।।

ବୃହଂସ୍ପତି ବୋଇଲେ ଧର୍ମର ଦୁଆର

ଏ ସମସ୍ତେ ଅଟନ୍ତି ଆହେ ଯୁଧିଷ୍ଠିର

।।

ଏଥିରେ ଯେ ଅହିଂସା ବ୍ରତ କରିଥାଏ

ତାର ପୁଣ୍ୟ କହିଲେ ନ ସରେ ରାୟେ

।।

ଆପଣା ପରି ପର କଥା ଯେ ଘେନଇ

ମହାପୁଣ୍ୟବନ୍ତ ବୋଲିଟି ତାକୁ କହି

।।

ସୁଖ ଦୁଃଖ ପ୍ରିୟାପ୍ରିୟ ନିରାକୃତି

ଦାନରେ ନିଜ ପରି କରିବ ପରେ ମତି

।।

ଭୃଗୁ ବୋଇଲେ ହେ ଦେହରେ ବ୍ରହ୍ମଥାଇ

ସୁଖ ଦୁଃଖ ଗନ୍ଧ ରସକୁ ସେ ଘେନଇ

।।

ଦେହଟିରେ ଯେଉଁ ଜୀବ ଅଛି ରହି

ପଦ୍ମରେ ଜଳ ବିନ୍ଦୁ ପରାୟେ ଜାଣ ସେହି

।।

ଏ ସକାଶୁଁ କହୁଥାଏ ଦେହ ନାଶ

ଗଲେ ଜୀବ କେବେ ନୁହଇ ଜାଣ ଧ୍ୱଂସ

।।

ଛାଡ଼ିଲେ ଦେହ ଆନ ଦେହକୁ ଜୀବ ଧରେ

ଯାହା ଅର୍ଜିଥାଏ ତା ଭୋଗ କରେ

।।

ଶତ ସମତ୍ସର ତପର ସମାନ

ମାଂସ ଛାଡ଼ିବାର ରାଜନ ମନେ ଘେନ

।।

ବୃକ୍ଷ ମୂଳେ ରହି ହୋଇ ନିରାହାର

ଭାବେ ଯେ ଈଶ୍ୱରଙ୍କୁ ମୁକତି ତାହାର

।।

ପାଣି, ବାତ ପିଇ ଫଳ ମୂଳ ଖାଇ

ଯେ ରହଇ ଋଷି ବୋଲିଟି ତାକୁ କହି

।।

ଗ୍ରୀଷ୍ମ କାଳେ ଅଗ୍ନି ଚାରି କାନି ଜାଳି

ଯେ ତପ କରେ ଉଷ୍ମ ଦୁଃଖକୁ ନ ଭାଳି

।।

ସୂର୍ଯ୍ୟ ଦେବତାକୁ ଅନାଇ ନୟନେ

ସେହିଟି ଆସି ରାଜା ହୁଅଇ ମର୍ତ୍ତ୍ୟ ଜନେ

।।

ସବୁ ପ୍ରାଣୀ ଠାରେ ଦୟା କରିଥାନ୍ତି

ଶୀଳବନ୍ତ ହୋଇ ଦିନକୁ ହରନ୍ତି

।।

ପରଧନ, ପରଦାର, ପରକଥା

ପଡ଼ିଲେ ହୃଦୟରେ ଘେନୁଥାନ୍ତି ବ୍ୟଥା

।।

ଧର୍ମ ଲବ୍ଧ ଅର୍ଥ ଆଶିଣ ଭୁଞ୍ଜନ୍ତି

ମାତୃ ପିତୃ ଠାରେ ଭକତି କରନ୍ତି

।।

ଚୋର ବୃତ୍ତି କଥା ନ ଶୁଣନ୍ତି କାନେ

ଥାଉ ତା ଆଚରଣ କରିବାର ଦିନେ

।।

ଆପଣାର ଦାରେ ରତ ହୋଇ ଋତୁ କାଳେ

ଭୋଗିକୁ-କରୁଥାନ୍ତି ଦାରାକୁ ଧରି କୋଳେ

।।

ଏ ଲକ୍ଷଣ ଗୋଟି ଗୋଟିକେ ଯେ ଯୁତ

ହୁଏ ଅନ୍ତେ ତାକୁଟି ସ୍ୱର୍ଗ ପରାପତ

।।

ଅନ୍ଧ, ମୂକ, ବଧିର, ଅକ୍ଷମି ଜନରେ

ଗଣିବ ବେଦବିଦ ବ୍ରାହ୍ମଣ ଗଣରେ

।।

ଦୀନ, ଅନ୍ଧ ଲୋକକୁ ନ ଦିଏ ଯେ ଦାନ

ମଲେ ନରକରେ ଲଭଇ ପତନ

।।

ସହଧର୍ମଚାରିଣୀ ହୁଅ ଭର୍ତ୍ତା ତୁଲେ

ବିଭା କାଳେ ବୋଲଇ ପିତା ଧରି କୋଳେ

।।

ଏହା ତ ଜାଣି ସ୍ତିରୀ ଭର୍ତ୍ତାକୁ ସେବିବ

ଭର୍ତ୍ତା ବିନା ତାହାର ନାହିଁ ଅନ୍ୟ ଦେବ

।।

ସକାଳୁ ଉଠି ଭର୍ତ୍ତା ପାଦ ଯେ ଘଷଇ

ଥିବାର ଘର ବ୍ୟବହାରକୁ ଛାଡ଼ି ଦେଇ

।।

ଭର୍ତ୍ତା ଯେବେ ଦୁଃଖ କରଇ ହରଷ

ଛାଡ଼ି କରି ସେ ମଧ୍ୟ ହୁଅଇ ବିରସ

।।

ଭର୍ତ୍ତା ମନ ଜାଣି କରଇ ବେଭାର

ପତିବ୍ରତା ବୋଲିଟି ତାହାକୁ ମନେ କର

।।

ଘରକୁ ଲିପଇ ଯେ ମାର୍ଜନା କରଇ

ଦୀନଜନ, ଅନ୍ଧ ଠାରେ ଦୟା ବହି

।।

ଦେଉଥାଏ ଘରେ ଥାଏ ଯେଉଁ ଅନ୍ନ

ପତିବ୍ରତାଙ୍କରେ ସେ ବୋଲାଇ ଧନ

।।

ଦରିଦ୍ର, ବ୍ୟାଧିମନ୍ତ ରୋଗୀ ହେଲେ ପତି

ଅଟଇଟି ସେହି ଯୁବତିର ଗତି

।।

ଅଧର୍ମରେ କ୍ଷୟ ଧର୍ମରେ ଅକ୍ଷୟ

ହୁଅଇ ଦେଖୁ ଥାଇ ଶାନ୍ତନୁ ତନୟ

।।

ଅହିଂସା ଦାନ ସତ୍ୟ ଅକ୍ରୋଧ ଯେ ଆଚରେ

ଧର୍ମ କଲା ବୋଲି ବୋଲାଏ ସଂସାରେ

।।

ଦାନେ ଭୋଗୀ ବୃଦ୍ଧ ସେବାରେ ମେଧାବୀ

ଅହିଁସାରେ ଦୀର୍ଘାୟୁ କହନ୍ତି ଜନେ ଭାବି

।।

କପଟ କଥା ଯାକ ମୃତ୍ୟୁର କାରଣ

ଅକପଟ କଥା ମୋକ୍ଷ ବୋଲି ଜାଣ

।।

ମମତା ଯେ କରଇ ପାଏ ସେ ସଂସାର

ମମତା ହୀନ ଲୋକ ହୁଅଇ ବ୍ରହ୍ମାଙ୍କର

।।

ସଂସାରରେ ଥାଇ ମମତା ଯାର ନାହିଁ

ସଂସାର ତାକୁ ବାଧି ନ ପାରେ ନରସାଇଁ

।।

ପୁଣ୍ୟ କର୍ମା ସ୍ୱର୍ଗରେ ବସି ଦିଶୁଛନ୍ତି

ନ ଜାଣି ଲୋକେ ତାଙ୍କୁ ତାରାଟି ବୋଲନ୍ତି

।।

ବ୍ରହ୍ମଚର୍ଯ୍ୟ, ଦାନ, ପ୍ରଶାନ୍ତାଚରଣ

ପ୍ରାଣୀ ଦୁଃଖ ହରଣ, ବ୍ରହ୍ମଙ୍କ ଧାରଣ

।।

ମାତୃ ପିତୃ ସୁଶ୍ରୂଷା, ଶୌଚ, ବ୍ରତ, ଦୁମ

ଶୁଭ କର୍ମେ-ପ୍ରବୃତ୍ତି ଇନ୍ଦ୍ରିୟ ସଂଯମ

।।

ଅନୃଶଂସ୍ୟ ପରସ୍ୱ ଆଦାନ ବର୍ଜନ

ଦୟା, ଗୁରୁଦେବ, ଅତିଥି ପୂଜନ

।।

ଏମାନ ଯେ କରଇ ମୋକ୍ଷ ଧର୍ମ ସେହି

ଜାଣଇ ଏ କଥାରେ ସନ୍ଦେହ ତ ନାହିଁ

।।

ସୁଖ ଦୁଃଖ ଅନିତ୍ୟ ବୋଲି ଯେ ଜାଣଇଁ

ସଂସାର ସାଗରୁ ସେ ଅଲଭ୍ୟେ ତରଇ

।।

ଯାହାକୁ ଯା ମିଳଇ ତହିଁରୁ ସେ ଦଶାଂଶ

ଦେଲେ ସ୍ୱର୍ଗେ ପୂଜା କରନ୍ତି ସୁରଈଶ

।।

ନ୍ୟାୟ ଲବ୍ଧ ଦାନକୁ ଆନ ଦାନମାନ

ନୁହଇ ହେ ଦ୍ୱିଜବରଟି ସମାନ

।।

ନ୍ୟାୟାର୍ଜିତ ଧନ ପାତ୍ର ଲୋକେ ଦେଲା

ଲୋକଟି ସ୍ୱର୍ଗରେ ବୋଲାଅଇ ଭଲା

।।

ବିଗ୍ରହ, ସନ୍ଧି, ଯାନ, ଆସନ, ଦ୍ୱୈଧୀ ଭାବ

ଆଶ୍ରୟ ମିଶି ଷଡ଼ ଗୁଣ ଏ ନରଦେବ

।।

ଆଳସ୍ୟ, ନିଦ୍ରା, ଭୟ, କ୍ରୋଧ, ଦୀର୍ଘ ସୂତ୍ର

ମୃଦୁତା ମିଶି ଷଡ଼ ଦୋଷ ଯେ ବିଦିତ

।।

ବଚନ, ମନ, ଜିହ୍ୱା, ଉଦର, ଉପସ୍ଥ

ଉଦବେଗ ଯେ ସହେ ସେ ପାଏ ବ୍ରହ୍ମପଥ

।।

ଅଧର୍ମ କଲା ଲୋକ ସଂପତ୍ତିକୁ ପାଏ

ଶତ୍ରୁ ଜିଣି ପ୍ରାନ୍ତେ ସମୂଳେ ନାଶ ଯାଏ

।।

ପରସ୍ପରେ ସବୁରି ସବୁଠାରେ ହିଂସା

ରହିଅଛି ପୂରି ହେ ଋଷି ମହାଯଶା

।।

କୁଳିନ ଲୋକମାନେ ଆଚରି ଘୋର କର୍ମ

ମଣୁଛନ୍ତି ତା ପୁଣି ବଡ଼ କରି ଧର୍ମ

।।

ଧର୍ମ ଅଧର୍ମରେ ଯୁକତ ହୋଇବାରେ

ପୁରି ରହିଅଛି କର୍ମ ଏ ସଂସାରେ

।।

ଆପଣା ଧର୍ମେ ରତ ହୋଇଛି ଯେଉଁ ନର

ତା ଠାରୁ ଧର୍ମବନ୍ତ ନାହିଁ ଆଉ ନର

।।

ଚକ୍ଷୁ ରୂପ, କର୍ଣ୍ଣ ଶବଦ, ନାଶା ବାସ

ଜିହ୍ୱା ରସ, ଚର୍ମ ସ୍ପର୍ଶର ଏ ବାସ

।।

ଏ ପାଞ୍ଚୋଟି ଇନ୍ଦ୍ରିୟ ଯାହାର ଆୟତ୍ତ

ବ୍ରହ୍ମଜ୍ଞାନ ତାହାର ଅଟଇ କରଗତ

।।

ପ୍ରାଣୀଙ୍କର ଯେବେ ତରିବା ଇଚ୍ଛା ହେବ

ଆଗ ଚତୁର୍ଭୁଜ ବିଷ୍ଣୁଙ୍କୁ ଭାବିବ

।।

ତହିଁ ପଛେ ସୂକ୍ଷ୍ମ ମୂରକିକି ଧ୍ୟାଇ

ବ୍ରହ୍ମଙ୍କୁ ଭାବନାଟି କରିବ ପ୍ରୀତି ବହି

।।

Image

 

ଶୁଦ୍ଧପତ୍ର

 

ଅଛି

ହେବ

ପଳାଏ

ପକାଏ

କୃପାଣ

ପ ଶ

ପୂର୍ବେ

ପୂର୍ବ

ଅରୋପିତା

ଅରୋଗିତା

ଅର୍ଥକାରୀ

ଅର୍ଥକରୀ

ଘଟି

ଘୋଟି

ଆତ୍ମାଜ୍ଞାନ

ଆତ୍ମଜ୍ଞାନ

ବ୍ରହ୍ମାଠାରେ

ବ୍ରହ୍ମଠାରେ

ଗରିବ

ଗରବ

ନୋହିଛ ଭୀରୁ

ନୋହି କିଛି ଭୀରୁ

ନେଜବେତ୍ତା

ବେଦବେତ୍ତା

ବ୍ରହ୍ମାଙ୍କୁ

ବ୍ରହ୍ମଙ୍କୁ

ସବିଚ୍ଛିନ୍ନେ

ଅବିଚ୍ଛିନ୍ନେ

ନିବୃତ୍ତି

ନିବୃତ୍ତ

ବାହାନ

ବାହନ

ଆଢ଼୍ୟ

ଆର୍ତ୍ୟ

ଗରିବ

ଗରବ

ଅକ୍ଷମି

ଅକ୍ଷମ

ବ୍ରହ୍ମାଙ୍କର

ବ୍ରହ୍ମଙ୍କର

Image